ସିକ୍କିମ ସୀମାରେ ଉତ୍ତେଜନା: ଅନୁପ୍ରବେଶ କରୁଥିବା ୨୦ ଚୀନ ସୈନିକ ଆହତ

ଲଦାଖ,ଏଜେନ୍ସି: ଗୋଟେ ପଟେ ସୀମାରୁ ଉତ୍ତେଜନା ହ୍ରାସ ପାଇଁ ଭାରତ-ଚୀନ ମଧ୍ୟରେ ଗତକାଲି ୯ମ ପର୍ଯ୍ୟାୟ କୋରକମାଣ୍ଡର ସ୍ତରୀୟ ଆଲୋଚନା ହୋଇଥିଲା। ଦୀର୍ଘ ୧୫ ଘଣ୍ଟା ଧରି ଏହି ଆଲୋଚନା ହୋଇଥିଲା। ଏହି ମଧ୍ୟରେ ସିକ୍କିମ ଦେଇ ଭାରତକୁ ଅନୁପ୍ରବେଶ ଉଦ୍ୟମ କରିଛି ଚୀନ। ସିକ୍କିମର ଏଲଏସିରେ ଭାରତ-ଚୀନ ସେନା ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ ଚୀନର କିଛି ସୈନିକ ଭାରତକୁ ସିକ୍କିମ ବାଟ ଦେଇ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ଭାରତୀୟ ଯବାନମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେମାନେ ଜବରଦସ୍ତି ପଶିବାରୁ ଉଭୟ ସେନା ମୁହାଁମୁହିଁ ହୋଇଥିଲେ। ଏଥିରେ ୪ ଜଣ ଭାରତୀୟ ଯବାନଙ୍କ ସହିତ ୨୦ ଜଣ ଚୀନ ସୈନିକ ଆହତ ହୋଇଥିବା ଜଣାପଡ଼ିଛି। ଫଳରେ ସେଠାରେ ବର୍ତ୍ତମାନ ସୁଦ୍ଧା ସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଛି।