ଚୀନ୍‌କୁ ଭାରି ପଡ଼ିବ ବାଣିଜ୍ୟିକ ଯୁଦ୍ଧର ପ୍ରଭାବ: ଗୀତା ଗୋପୀନାଥନ

ୱାଶିଂଟନ୍,ଏଜେନ୍ସି: ଏକ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଶୁଳ୍କ ବ୍ୟବସ୍ଥାକୁ ନେଇ ବିଶ୍ୱର ଦୁଇ ବୃହତ୍‌ ଅର୍ଥନୀତି ଆମେରିକା ଏବଂ ଚୀନ୍ ମଧ୍ୟରେ ଲାଗି ରହିଥିବା ବାଣିଜ୍ୟିକ ଯୁଦ୍ଧର ସମାଧାନ ଦିଗରେ ଏବେ ମଧ୍ୟ କୌଣସି ବାଟ ଫିଟି ପାରି ନାହିଁ। ବରଂ ଏହାର ପ୍ରଭାବରେ ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଯାଇଥିଲା ବେଳେ ଆଞ୍ଚଳିକସ୍ତରରେ ମଧ୍ୟ ବହୁ ରାଷ୍ଟ୍ର ପ୍ରଭାବିତ ହୋଇଛନ୍ତି। ଏହି ସ୍ଥିତିକୁ ନେଇ ବିଶ୍ୱର ପ୍ରମୁଖ ଅନୁଷ୍ଠାନମାନଙ୍କ ପକ୍ଷରୁ ଆଲୋଚନା ଏବଂ ଅନୁଧ୍ୟାନ ଲାଗି ରହିଥିବାବେଳେ ଏହି ବାଣିଜ୍ୟିକ ଯୁଦ୍ଧ ଆମେରିକା ତୁଳନାରେ ଚୀନ୍‌କୁ ଭାରି ପଡ଼ିବ ବୋଲି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍)ର ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥନ୍ କହିଛନ୍ତି।

ଉଭୟ ରାଷ୍ଟ୍ର ଆମଦାନୀ ଉପରେ ବିପୁଳ ପରିମାଣର ଶୁଳ୍କ ଲାଗୁ କରିଛନ୍ତି। କିନ୍ତୁ ଏଭଳି ବ୍ୟବସ୍ଥା ଦ୍ୱାରା ଆମେରିକା ତୁଳନାରେ ଚୀନ୍‌କୁ ଅଧିକ କ୍ଷତି ହେବ ବୋଲି ଆଇଏମ୍ଏଫ୍ ପକ୍ଷରୁ କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଛି ବୋଲି ସେ କହିଛନ୍ତି। କାରଣ ଆମେରିକୀୟ ଅର୍ଥନୀତି ଏବଂ ଚାଇନା ଅର୍ଥନୀତି ମଧ୍ୟରେ ଅନେକ ଫରକ ଅଛି। ଆମେରିକାର ଅର୍ଥନୀତି ନିଜସ୍ୱ ବଜାର ଉପରେ ସର୍ବାଧିକ ନିର୍ଭର କରୁଥିବାବେଳେ ଚୀନ୍ ଅର୍ଥନୀତି ଆନ୍ତର୍ଜାତିକ ବଜାର ଉପରେ ନିର୍ଭର କରୁଛି ବୋଲି ଗୋପୀନାଥନ୍ କହିଛନ୍ତି।

ତେବେ ଦୀର୍ଘଦିନ ଲାଗି ରହିଥିବା ଏହି ବିବାଦ ପ୍ରଭାବରେ ବିଶ୍ୱ ଅର୍ଥନୀତି ସଙ୍କୁଚିତ ହେବା ସହିତ ବିଶ୍ୱ ଅଭିବୃଦ୍ଧି ପଥ ମଧ୍ୟ ବାଧାପ୍ରାପ୍ତ ହେବ । ଏ ନେଇ ଆନ୍ତର୍ଜାତିକ ବଜାରରେ ପୁଞ୍ଜି ନିବେଶକାରୀଙ୍କ ସ୍ତରରେ ନିରୁତ୍ସାହ ଜାରି ରହିଛି। କିନ୍ତୁ  ଏହା ଦୀର୍ଘସମୟ ଧରି ଲାଗି ରୁହେ ତେବେ ବିଶ୍ୱ ଅର୍ଥନୀତି ପାଇଁ ଘାତକ ସଦୃଶ ହେବ ବୋଲି ସେ କହିଛନ୍ତି। କେବଳ ଏଥରକ ନୁହେଁ, ଚୀନ୍ ଓ ଆମେରିକା ମଧ୍ୟରେ ପୂର୍ବରୁ ଏଭଳି ସ୍ଥିତି ଦେଖାଯାଇଥିଲା ବେଳେ ଆଇଏମ୍ଏଫ୍ ପକ୍ଷରୁ ଚୀନ୍‌କୁ ଚେତାଇ ଦିଆଯାଇଛି। ୨୦୧୮ରେ ଏଭଳି ସ୍ଥିତି ଦେଖାଯାଇଥିଲା ବେଳେ ଚୀନ୍ ଅର୍ଥନୀତି ଅଧିକ ଭାବେ ପ୍ରଭାବିତ ହେବ ବୋଲିଆଇଏମ୍ ଏଫ୍ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ହେଲେ ଚୀନ୍ ନିଜ ଜିଦ୍‌ରେ ଅଟଳ ରହିଥିଲା।

ବର୍ତ୍ତମାନ ସ୍ଥିତିରେ ଚୀନ୍‌ରେବ୍ୟବସାୟ କରୁଥିବା ବହୁ ଦେଶୀୟ ଏବଂ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହେବାକୁ ଲାଗିଥିବାବେଳେ ଆଗାମୀ ଦିନରେ ଆହୁରି ଶୋଚନୀୟ ହୋଇପଡ଼ିବାର ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ ବୋଲି କୁହାଯାଇଛି।