ବାରଣ୍ଡାରେ ପଢୁଛନ୍ତି ପିଲା

ଝାରସୁଗୁଡ଼ା,ଏନ୍ଏନ୍ଏସ୍ : ସର୍ବଶିକ୍ଷା ଅଭିଯାନରେ କୋଟି କୋଟି ଖର୍ଚ୍ଚ କରାଯାଉଛି। ସଭିଏଁ ପଢ଼ନ୍ତୁ ସଭିଏଁ ବଢ଼ନ୍ତୁ ନାରାରେ ପିଲାଙ୍କୁ ସ୍କୁଲ ଆସିବା ପାଇଁ ଆହ୍ୱାନ ଦିଆଯାଉଛି। ମଧ୍ୟାହ୍ନ ଭୋଜନ ସହ ଅନ୍ୟ ଉପକରଣ ଯୋଗାଇ ଦିଆଯାଉଛି। କିନ୍ତୁ ମୂଳ ସ୍ଥିତି ପୂରା ଦୁର୍ବଳ। ସ୍କୁଲ ଛାତ ଭୁଶୁଡ଼ି ଯାଇଥିଲେ ମଧ୍ୟ ପ୍ରଶାସନର ଦୃଷ୍ଟି ପଡୁନି। ବାରମ୍ବାର ଅଭିଯୋଗ ସତ୍ତେ୍ୱ ମରାମତି ହେଉ ନାହିଁ। ଶ୍ରେଣୀଗୃହ ଭାଙ୍ଗିଯାଇଥିବାରୁୁ ପିଲାଏ ବାରଣ୍ଡାରେ ବସି ପଢୁଛନ୍ତି। ଏପରିକି ୫ ଶ୍ରେଣୀକୁ ୨ ଜଣ ଶିକ୍ଷକ କାମ ଚଳାଉଛନ୍ତି। ଏମିତି ଅଭାବନୀୟ ଅବସ୍ଥା ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲା ରାଜପୁର ପଞ୍ଚାୟତର ଆମଦରହ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ।
୧୯୬୮ରେ ପ୍ରତିଷ୍ଠିତ ଉକ୍ତ ସ୍କୁଲ୍ରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୪୫ ଜଣ ଛାତ୍ରଛାତ୍ରୀ ଅଛନ୍ତି। କିନ୍ତୁ ମୋଟ ୪ଟି ଶେଣୀଗୃହରୁ ମାସେ ତଳେ ଦୁଇଟି ଭୁଶୁଡ଼ି ପଡ଼ିଛି। ଫଳରେ ୩ଟି ଶ୍ରେଣୀର ଛାତ୍ରଛାତ୍ରୀ ବାହାରେ ବସୁଛନ୍ତି। ୧୫ ବର୍ଷ ପୂର୍ବେ ଏମସିଏଲ ପକ୍ଷରୁ ଏଠାରେ ଦୁଇଟି ଶ୍ରେଣୀ ଗୃହ ନିର୍ମାଣ କରାଯାଇଥିଲା, ଯାହା ଭୁଶୁଡ଼ି ଯାଇଛି। ଶିକ୍ଷକ ଓ ଶ୍ରେଣୀଗୃହ ଅଭାବ ଯୋଗୁଁ ପାଠପଢ଼ାରେ ପିଲାଏ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏନେଇ ପରିଚାଳନା କମିଟି ପକ୍ଷରୁ ପ୍ରଶାସନ ସମେତ ମହାନଦୀ କୋଇଲା କମ୍ପାନୀକୁ ଲିଖିତ ଅବଗତ କରାଯାଇଛି। କିନ୍ତୁ କାହାରି ଦୃଷ୍ଟିପଡୁନି ବୋଲି ଗ୍ରାମବାସୀ ଓ ଅଭିଭାବକ ଅଭିଯୋଗ କରିଛନ୍ତି।

ଖଣି ଓ ଶିଳ୍ପରେ ଭରପୁର ଝାରସୁଗୁଡ଼ା ଏକ ଉନ୍ନତ ଜିଲ୍ଲା। ବର୍ଷକୁ କୋଟି କୋଟି ଟଙ୍କାର ଡିଏମଏଫ ଫଣ୍ଡ ମଧ୍ୟ ଆଦାୟ ହେଉଛି। ଏହା ସତ୍ତେ୍ୱ ଜିଲ୍ଲାର ବିଦ୍ୟାଳୟଗୁଡିକର ଅବସ୍ଥା ଦୟନୀୟ ରହିବା ଚିନ୍ତାର ବିଷୟ ବୋଲି ଅବସରପ୍ରାପ୍ତ ଶିକ୍ଷକ ସୁରେନ୍ଦ୍ର ପ୍ରଧାନ କହିଛନ୍ତି। ଝାରସୁଗୁଡା ଜିଲ୍ଲାର ଜମଁଗାଁ ବିଦ୍ୟାଳୟରେ ଛାତ ଭୁଶୁଡ଼ି ଜୁନ ୨୪ରେ ୨ଜଣ ଛାତ୍ର ଆହତ ହୋଇଥିଲେ। ଗୋଟିଏ ବର୍ଷ ହେଲାଣି ଉଡାଜାହାଜ ପଡ଼ିଆ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବାରଣ୍ଡାରେ ବସି ପାଠ ପଢୁଛନ୍ତି। ସେହିପରି ଏବେ ଆମଦରହ ପ୍ରାଥମିକ ବିଦ୍ୟାଳୟର ଶୋଚନୀୟ ଅବସ୍ଥା ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅତିଶୀଘ୍ର ବିଦ୍ୟାଳୟଗୁଡିକର ମରାମତି କରାଯାଉ ବୋଲି ଲୋକେ ଦାବି କରିଛନ୍ତି।