ପାଣି ଭର୍ତ୍ତି ଡେ଼କଚିରେ ବୁଡ଼ି ଶିଶୁ ପୁତ୍ର ମୃତ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ଅନ୍ତର୍ଗତ ପାଲି ଗ୍ରାମରେ ରବିବାର ସକାଳେ ଏକ ଅବିଶ୍ୱସନୀୟ ଦୁର୍ଘଟଣା ଘଟିଛି। ଘର ଅଗଣାରେ ଥିବା ଏକ ପାଣି ଭର୍ତ୍ତି ଡେ଼କଚିରେ ବୁଡି ଜଣେ ୨ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ ସାମନ୍ତରାପାଲି ଗ୍ରାମର ପ୍ରଶାନ୍ତ ସାହୁଙ୍କ ୨ବର୍ଷିଆ ଶିଶୁପୁତ୍ର ପ୍ରିନ୍ସ ପ୍ରତିଦିନ ଭଳି ସକାଳୁ ଉଠି ଘରେ ଖେଳାଖେଳି କରୁଥିଲା। ଏହି ସମୟରେ ଘର ଅଗଣାରେ ଥିବା ପାଣି ଭର୍ତି ବଡ ଡେକଚି ନିକଟକୁ ଯାଇ ପାଣିରେ ଖେଳୁଥିଲା। ପରିବାର ଲୋକଙ୍କ ଅଜାଣତରେ ପ୍ରିନ୍ସ ପାଣି ଭର୍ତି ଡେକଚିରେ ଭିତରେ ବୁଡିଯାଇଥିଲା।

ବହୁସମୟ ଧରି ପ୍ରିନ୍ସକୁ ଘରେ ନଦେଖି ପରିବାର ଲୋକେ ଏଣେତେଣେ ଖୋଜା ଖୋଜି କରିଥିଲେ। ଏହି ସମୟରେ ପ୍ରିନ୍ସ ପାଣି ଭର୍ତି ଡେକଚିରେ ଅଚେତ ପଡିଥିବା ଦେଖି ପରିବାର ଲୋକେ ତାକୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ପ୍ରିନ୍ସକୁ ମୃତ ଘୋଷଣା କରିଥିଲେ। ପରେ ଦେବଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାଯାଇଛି।