ଅନଲାଇନ ପାଠପଢ଼ା ଯୋଗୁଁ ପିଲାଙ୍କ ମୁଣ୍ଡ ବିନ୍ଧୁଛି

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ଲକଡାଉନ କାରଣରୁ ବର୍ତ୍ତମାନ ସବୁ ବିଦ୍ୟାଳୟରେ ଅନଲାଇନ ପାଠପଢ଼ା ଚାଲୁରହିଛି। ଅନଲାଇନ ପାଠପଢ଼ା ଯୋଗୁଁ ମୋବାଇଲ ସ୍କ୍ରିନକୁ ଅଧିକ ସମୟ ଦେଖିବା ହେତୁ ବ୍ଲୁ-ଲାଇଟ ରେଡିଏସନ୍ ଦ୍ୱାରା ଛୋଟ ପିଲାମାନଙ୍କ ଆଖିରେ ସମସ୍ୟା ଓ ମୁଣ୍ଡବ୍ୟଥା ତଥା ବେକ ଓ ପିଠିରେ ଯନ୍ତ୍ରଣା ହେବାର ଅନେକ ଅଭିଯୋଗ ଅଭିଭାବକ ମାନଙ୍କଠାରୁ ବହୁମାତ୍ରାରେ ମିଳୁଛି। କିଛି କ୍ଷେତ୍ରରେ ଅଭିଭାବକମାନେ ପିଲାଙ୍କୁ ଚିକିତ୍ସା କରି ପାରୁଛନ୍ତି ଓ କିଛି କ୍ଷେତ୍ରରେ ମଧ୍ୟ ବନ୍ଦ ଓ କରୋନା କାରଣରୁ ଚିକିତ୍ସା ସମ୍ଭବ ହେଉନାହିଁ। ଆଗକୁ ଏହା ଏକ ଗୁରୁତର ସମସ୍ୟା ଭାବରେ ମୁଣ୍ଡ ଟେକିବ।

ଏହାକୁ କିପରି ସୁପରିଚାଳନା କରାଯିବା ତାହାର କିଛି ନିର୍ଦ୍ଧିଷ୍ଟ ନିୟମ ନକରି ଅତି ତରବରିଆ ଭାବେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଏକ ଗାଇଡଲାଇନ ଅନଲାଇନ୍ କ୍ଳାସର ୪ ମାସପରେ ଘୋଷଣା କଲେ। ଏହା କୌଣସି ବିନା ଏକ୍ସପର୍ଟମାନଙ୍କ ପରାମର୍ଶରେ କରାଯାଇଛି ବୋଲି ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଅଭିଯୋଗ କରିଛନ୍ତି। ଶ୍ରୀ ଭଟ୍ଟ କହିଛନ୍ତି ଯେ, ଏନସିପିସିଆର୍ ଗତ ଏପ୍ରିଲ ୧୭ ତାରିଖରେ ଯେଉଁ ଗାଇଡ୍‌ଲାଇନ ସବୁ ରାଜ୍ୟସରକାରଙ୍କୁ ପଠାଯାଇଥିଲା ତାହାର ଏହି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଗାଇଡଲାଇନ ବିପରୀତ ଓ ପିଲାଙ୍କ ଅଧିକାର ବିରୋଧୀ ହୋଇଛି।

ଶିଶୁ ମାନେ ଦେଶର ଭବିଷ୍ୟତ। ସେମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ଆମକୁ ଏକ ସୁସ୍ଥ ମାନବ ସମ୍ବଳ ଗଠନ କରିବାରେ ସହାୟକ ହେବ। ତେଣୁ ଉପରୋକ୍ତ ସମସ୍ତ ସମସ୍ୟାକୁ ଗୁରୁତ୍ୱ ଦେଇ ତରବରିଆ ଭାବେ କୌଣସି ପଦକ୍ଷେପ ନ ନେଇ ଶିଶୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କର ପରାମର୍ଶ ନେଇ ଏ ସଂକ୍ରାନ୍ତରେ ଉଚିତ ପଦକ୍ଷେପ ନେବାକୁ ମହାସଂଘ ଏନସିପିସିଆର ଅଧ୍ୟକ୍ଷଙ୍କୁ ନିବେଦନ କରିଛି। ଏହାକୁ ଅତ୍ୟନ୍ତ ଗୁରୁତର ସହ ବିଚାର କରି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, ରାଜ୍ୟ ଶିକ୍ଷା ସଚିବ ଓ ଏସସିଏର୍ଟିକୁ ନୋଟିସ ଜାରି କରିବାକୁ ଅନୁରୋଧ କରାଯାଇଛି। ଏହାଦ୍ୱାରା ଦେଶର ୧୫ କାଟି ପିଲା ଅନଲାଇନ ଅସୁବିଧାରୁ ମୁକ୍ତ ହେବେ ବୋଲି ସହ ଅଧ୍ୟକ୍ଷ ପ୍ରସନ୍ନ ବିଷାୟୀ କହିଛନ୍ତି।