୮ ଦିନର ନବଜାତ ଶିଶୁ ବିକ୍ରି ଅଭିଯୋଗ, ଉଦ୍ଧାରକଲା ଚାଇଲ୍ଡ ଲାଇନ

ଫୁଲବାଣୀ,ଖଜୁରିପଡ଼ା,ବଲସକୁମ୍ପା, ଏନ୍ଏନ୍ଏସ୍: ୮ ଦିନର ଶିଶୁକୁ ତା ବାପା ଅନ୍ୟ ଜଣକୁ ବିକ୍ରି କରିଦେଇଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ କନ୍ଧମାଳ ଚାଇଲ୍ଡ ଲାଇନ୍ ଶିଶୁଟିକୁ ଉଦ୍ଧାର କରିବା ସହିତ ଚିକିତ୍ସା ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ସୂଚନା ଅନୁଯାୟୀ, ଖଜୁରିପଡା ଥାନା ବଲସକୁମ୍ପା ପଞ୍ଚାୟତର ବୁଡୁପଡ଼ା ଗ୍ରାମର ଜଗଦିଶ ଦିଗାଲ ପତ୍ନୀ ପ୍ରମୋଦିନୀଙ୍କୁ ୧୦ ବର୍ଷ ତଳେ ଦ୍ୱିତୀୟ ବିବାହ କରିଥିଲେ। ତାଙ୍କର ୯ ବର୍ଷର ଗୋଟେ ପୁତ୍ର ସନ୍ତାନ ଥିବାବେଳେ ଗତ ୮ ଦିନ ତଳେ ଆଉ ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇ ଥିଲେ। ତେବେ ପ୍ରମୋଦିନୀ ସାମାନ୍ୟ ମାନସିକ ବିକୃତ ବୋଲି ଗ୍ରାମବାସୀ ଓ ତାଙ୍କ ସ୍ୱାମୀ ମଧ୍ୟ ପ୍ରକାଶ କରିଛନ୍ତି। ୨ ତାରିଖ ଦିନ ପରିବାରର ସମସ୍ତେ ଖାଇ ପିଇ ଶୋଇଥିବା ବେଳେ ପ୍ରମୋଦିନୀ ରାତିରେ କୁଆଡେ ଚାଲି ଯାଇଥିଲେ। ସକାଳେ ଶିଶୁଟିର କାନ୍ଦ ଶୁଣି ଜଗଦିଶ ଉଠି ପ୍ରମୋଦିନୀ ନଥିବା ଦେଖି ବହୁ ଖୋଜା ଖୋଜି କରିଥିଲେ। ଏହା ଶୁଣି ତାଙ୍କର ଜଣେ ସମ୍ପର୍କୀୟ ଆସି ଉକ୍ତ ଶିଶୁଟିକୁ ଫୁଲବାଣୀ ଚିତ୍ରକୁଟ ସାହିରେ ରହୁଥିବା ଏକ ନିସନ୍ତାନ ଦମ୍ପତିଙ୍କୁ ଦେଇ ଦେବାକୁ କହିଥିଲେ। ତାଙ୍କ କଥାରେ ଜଗଦିଶ ଶିଶୁଟିକୁ ଉକ୍ତ ଦମ୍ପତିଙ୍କୁ କୁଆଡେ ୨ ହଜାର ଟଙ୍କାରେ ବିକ୍ରି କରିଦେଇଥିଲେ ବୋଲି କେତେକ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏନେଇ ଚାଇଲ୍ଡଲାଇନ ଅଭିଯୋଗ ପାଇବା ପରେ ଡିସିପିଓ ଖଜୁରିପଡା ଥାନାରେ ଅଭିଯୋଗ କରିଥିଲେ। ଡିସିପିଓଙ୍କ ନିର୍ଦ୍ଦେଶରେ ପୁଲିସ ଉପସ୍ଥିତିରେ ଚାଇଲ୍ଡ ଲାଇନ୍ ଶିଶୁକୁ ଉଦ୍ଧାର କରି ଫୁଲବାଣୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ଚାଇଲ୍ଟଲାଇନ ଇନଚାର୍ଜ ପ୍ରଭାସ ନାୟକ ସୂଚନା ଦେଇଛନ୍ତି।