ରାଜ୍ୟରେ ପିତୃମାତୃହୀନ ଶିଶୁ ଏବଂ ଏକକ ଅଭିଭାବକ ଥିବା ଶିଶୁଙ୍କ ସର୍ବେକ୍ଷଣ କରାଯିବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଶିଶୁମାନଙ୍କ ସୁରକ୍ଷିତ ଶୈଶବ ଏବଂ ପୂର୍ଣ୍ଣ ବିକାଶକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ରାଜ୍ୟର ସମସ୍ତ ଅଂଚଳ ତଥା ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଅଧୀନରେ ଥିବା ପିତୃ-ମାତୃହୀନ ଶିଶୁ ଏବଂ ଏକକ ଅଭିଭାବକ ଥିବା ଶିଶୁମାନଙ୍କ ସର୍ବେକ୍ଷଣ କରାଯିବ । ପ୍ରତ୍ୟେକ ଜିଲ୍ଲାର ଅଙ୍ଗନବାଡ଼ି କର୍ମୀମାନଙ୍କ ସହାୟତାରେ ଏହି ସର୍ବେକ୍ଷଣ କରାଯିବ ।

ଏଥିପାଇଁ ଉଦ୍ଧିଷ୍ଟ ଫର୍ମାଟରେ ଅଙ୍ଗନବାଡ଼ି କର୍ମୀମାନେ ଚିହ୍ନଟ ହୋଇଥିବା ଶିଶୁମାନଙ୍କ ସବିଶେଷ ତଥ୍ୟ ସଂଗ୍ରହ କରି ଅଙ୍ଗନବାଡ଼ି ସୁପରଭାଇଜରମାନଙ୍କୁ ଦେବେ । ଅଙ୍ଗନବାଡ଼ି ସୁପରଭାଇଜରମାନେ ଏହାକୁ ଭଲ ଭାବେ ଯାଂଚ କରିବା ପରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ଜରିଆରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ପ୍ରଦାନ କରିବେ । ଦୁଇଟି ଫର୍ମାଟ ମଧ୍ୟରୁ ଗୋଟିକରେ ପିତୃମାତୃହୀନ ଶିଶୁ ଏବଂ ଆଉ ଗୋଟିଏ ଫର୍ମାଟରେ ଏକକ ଅଭିଭାବକ ଥିବା ଶିଶୁଙ୍କ ସମସ୍ତ ତଥ୍ୟ ସଂଲଗ୍ନ କରି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ଅନୁମୋଦନ ପରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗକୁ ପ୍ରେରଣ କରିବେ । ଏହି ଫର୍ମାଟରେ ଶିଶୁର ପରିବାରର ସମ୍ପୂର୍ଣ୍ଣ ତଥ୍ୟ, ଲିଙ୍ଗ,ବୟସ,ବିଦ୍ୟାଳୟ ଶିକ୍ଷା, ଠିକଣା, ପରିବାରର ଆର୍ଥିକ ସ୍ଥିତି, ଶିଶୁଟି କାହା ପାଖରେ ଅଛି, ଆଦି ସଂପୂର୍ଣ୍ଣ ତଥ୍ୟ ସନ୍ନିବେଶିତ ହେବ ।

ଏଥିପାଇଁ ଅଙ୍ଗନବାଡ଼ି କର୍ମୀମାନଙ୍କୁ ଆବଶ୍ୟକୀୟ ପାରିତୋଷିକ ପ୍ରଦାନ କରାଯିବ । ଏ ସମସ୍ତ କାର୍ୟ୍ୟ ୨୦୧୯ ଅକ୍ଟୋବର ୫ ତାରିଖ ମଧ୍ୟରେ ଶେଷ କରାଯିବ । ଏହି ମର୍ମରେ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖାଯିବା ସହ ଆବଶ୍ୟକୀୟ ଫର୍ମାଟ ସଂଲଗ୍ନ କରି ପ୍ରେରଣ କରାଯାଇଛି ।

ରାଜ୍ୟର ଶିଶୁମାନଙ୍କ ସୁରକ୍ଷା, ବିକାଶ ଏବଂ ନିରାପଦ ଜୀବନକୁ ସୁନିଶ୍ଚିତ କରିବା ଉଦେ୍ଧଶ୍ୟରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ଶିଶୁ ପ୍ରଯତ୍ନ ଗୃହ, ପୋଷ୍ୟ ସନ୍ତାନ ଗ୍ରହଣ, ବିଜୁ ଶିଶୁ ସୁରକ୍ଷା ଯୋଜନା ଆଦି କାର୍ୟ୍ୟକାରୀ ହେଉଛି । କିନ୍ତୁ ଠିକ୍ ଭାବରେ ଚିହ୍ନଟ ହୋଇ ପାରି ନ ଥିବାରୁ ଅନେକ ସମୟରେ ଏହି ଶିଶୁମାନଙ୍କୁ ସରକାରୀ ଯୋଜନାରେ ସାମିଲ କରିବା ସମ୍ଭବ ହେଉ ନାହିଁ । ତେଣୁ ଏହି ବର୍ଗର ଶିଶୁମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରି ରାଜ୍ୟରେ ଶିଶୁମାନଙ୍କ ସୁରକ୍ଷା ଓ ବିକାଶକୁ ସୁନିଶ୍ଚିତ କରିବା ପାଇଁ ବିଭାଗ ତରଫରୁ ଉଦ୍ୟମ କରାଯାଉଛି ।

ମହିଳା ଓ ଶିଶୁ ବିକାଶ ଏବଂ ମିଶନଶକ୍ତି ବିଭାଗ ପାଇଁ ୫ “ଟି’ ଅନ୍ତର୍ଗତ ବିଭିନ୍ନ କାର୍ୟ୍ୟକ୍ରମ ମଧ୍ୟରୁ ଏହି ଶିଶୁ ସର୍ବେକ୍ଷଣ କାଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବାରୁ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଏହି କାର୍ୟ୍ୟ ସମ୍ପାଦନ କରିବାକୁ ପ୍ରୟାସ କରାଯାଉଛି ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଛନ୍ତି ।