ବନ୍ଦ କାରରେ ଛୁଆକୁ ଛାଡ଼ିବା ମହଙ୍ଗା ପଡ଼ିଲା: ବାପା-ମା’ଙ୍କ ନାଁରେ ମାମଲା

‘ନିଜ ପିଲାଙ୍କ ସୁରକ୍ଷା ଓ ନିରାପତ୍ତା ନେଇ ପିତାମାତାମାନେ ଦାୟିତ୍ୱବାନ ହେବା ଦରକାର’

ଢେଙ୍କାନାଳ,ଏନ୍ଏନ୍ଏସ୍: ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଗରୁ ଏକ ବନ୍ଦ କାରରୁ ଅଢ଼େଇ ବର୍ଷର ଶିଶୁ କନ୍ୟା ଉଦ୍ଧାର ଘଟଣାରେ ଟାଉନ ଥାନାରେ କେସ ନଂ ୩୬୯ରେ ଜୁଭେନାଇଲ ଜଷ୍ଟିସ ଆକ୍ଟ-୨୦୧୫ରେ ବାପା ଢେଙ୍କାନାଳ ସହର ଉପକଣ୍ଠ କାଠଗଡ଼ା ବାସିନ୍ଦା ପ୍ରଦୀପ ମିଶ୍ର ଓ ମା’ ସୋନାଲୀ ମିଶ୍ରଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ପକ୍ଷରୁ ଏନେଇ ତଦନ୍ତ ମଧ୍ୟ ଜାରି ରହିଛି। ପୁଲିସ ମୁଖ୍ୟ ଚିକିତ୍ସାଳୟ ଯାଇ ସିକ୍ୟୁରିଟି ଗାର୍ଡଙ୍କ ସମେତ ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚରା କରିଥିଲା।

ଉତ୍ତର-କେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ ଭୋଳ କହିଛନ୍ତି ଯେ ଛୋଟ ପିଲାଙ୍କ ସୁରକ୍ଷା ଓ ତା’ର ଦାୟିତ୍ୱ ପ୍ରତି ବାପା, ମା’ଙ୍କର ପ୍ରମୁଖ ଦାୟିତ୍ୱ ରହିଛି। ନିଜ ପିଲାଙ୍କ ସୁରକ୍ଷା ଓ ନିରାପତ୍ତା ନେଇ ପିତା ମାତାମାନେ ଦାୟିତ୍ୱବାନ ହେବା ଦରକାର। ଯଦି ଏଥିରେ ଅବହେଳା ହୁଏ ତେବେ ଢେଙ୍କାନାଳ ଦମ୍ପତିଙ୍କ ପରି ଅନ୍ୟ ଦମ୍ପତିମାନେ ଜୁଭେନାଇଲ ଜଷ୍ଟିସ ଆକ୍ଟରେ ଦଣ୍ଡିତ ହେବା ଆଇନରେ ବ୍ୟବସ୍ଥା ରହିଛି ବୋଲି ଶ୍ରୀ ଭୋଳ କହିଛନ୍ତି। ଉକ୍ତ ଦମ୍ପତି ଦାୟିତ୍ୱହୀନ ଭାବେ ନିଜ ଶିଶକୁ କାରରେ ରଖି ଡୋର ବନ୍ଦ କରିବା ଅତି ସମ୍ବେଦନଶୀଳ ଘଟଣା।

ପ୍ରକାଶଥାଉକି ମଙ୍ଗଳବାର ପୂର୍ବାହ୍ଣ ସାଢ଼େ ୧୧ଟା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଓଡି୦୫ଏଜେ-୯୧୮୭ ଧଳା ରଙ୍ଗର ଏକ କାର ଭିତରେ ଏକ ଛୋଟ ଶିଶୁ ଶୋଇଥିବା କିଛି ଲୋକ ଦେଖିଥିଲେ। ହୁଏତ ତା’ର ବାପା, ମା’ ସଙ୍ଗେ ସଙ୍ଗେ ଆସିଯିବେ ଏହା ଲୋକମାନେ ଧରି ନେଇଥିଲେ। ଏପରିକି ଆଉଟଡୋରରେ ଲାଗିଥିବା ମାଇକ ଯୋଗେ ମଧ୍ୟ ଘୋଷଣା କରାଯାଇଥିଲା। ତେବେ ୪୫ ମିନିଟ ଧରି କେହି ନ ଆସିବା ଓ ପିଲାର ପାଟିରୁ ଫେଣ ବାହାରିବା ସହ କାନ୍ଦିବାରୁ ମେଡିକାଲର ସିକ୍ୟୁରିଟି ଗାର୍ଡ ଓ ସ୍ଥାନୀୟ ଲୋକମାନେ ଉକ୍ତ କାରର ଡୋର ଖୋଲିବାକୁ ଚେଷ୍ଟା କରି ସଫଳ ହୋଇ ନଥିଲେ। ଫଳରେ କାଚ ଭାଙ୍ଗି ଡୋର ଖୋଲିବା ପରେ ଶିଶୁଟିକୁ ଉଦ୍ଧାର କରି ଚିକିତ୍ସା ବ୍ୟବସ୍ଥା କରାଇଥିଲେ।