କଥା ପ୍ରବଳ: କାମ ଦୁର୍ବଳ! ଟ୍ରାଫିକ୍ ଜାମ୍ ନେଲା ଶିଶୁର ଜୀବନ; ଦେଖନ୍ତୁ ଏହି ଭିଡିଓ…

ଭୁବନେଶ୍ୱର,ଏନ୍ଏନ୍ଏସ୍: ଯଦି ଅଧଘଣ୍ଟାଏ ପୂର୍ବରୁ ଆମ୍ବୁଲାନ୍ସ ପହଞ୍ଚିପାରିଥାନ୍ତା, ତାହାହେଲେ ଗୋଟିଏ ଛୋଟ ପିଲାଟିର ଜୀବନ ବଞ୍ଚିଯାଇଥାନ୍ତା। କିନ୍ତୁ କାଳ ହେଲା ଟ୍ରାଫିକ୍ ଜାମ୍। ୧୦ ମିନିଟର ରାସ୍ତାକୁ ପାର ହେବାପାଇଁ ଆମ୍ବୁଲାନ୍ସକୁ ଲାଗିଗଲା ୧ ଘଣ୍ଟା ୨୦ ମିନିଟ୍। ଆଉ ପହଞ୍ଚିଲା ବେଳକୁ ସବୁକିଛି ଶେଷ ହୋଇଯାଇଥିଲା। ଏପରି ଦୁଃଖଦ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ଯାହା ସମସ୍ତଙ୍କୁ ମର୍ମାହତ କରିଛି।

ଘଟଣାଟି ଏମିତି ଥିଲା:

ଏକ ୫ ବର୍ଷର ଶିଶୁପୁତ୍ରର ପ୍ରବଳ ବାନ୍ତି ହେବାରୁ ପରିବାର ଲୋକେ ତାକୁ କ୍ୟାପିଟାଲ ହସ୍ପିଟାଲ ଆଣିଥିଲେ। ସେଠାର ଶିଶୁପୁତ୍ରର ଅବସ୍ଥା ଗୁରୁତର ହେବାରୁ କଟକ ବଡମେଡିକାଲକୁ ରେଫର କରାଯାଇଥିଲା। କଟକ ଦୂର ବାଟ ହୋଇଥିବାରୁ ପରିବାର ଲୋକେ ପୁଅକୁ ଏସସିବିକୁ ନ ନେଇ ଭୁବନେଶ୍ବରର ପଟିଆରେ ଥିବା ଏକ ଘରୋଇ ହସ୍ପିଟାଲକୁ ନେଉଥିଲେ। ହେଲେ ରଜଭବନ ଛକଠାରୁ ପଟିଆ ଯିବା ରାସ୍ତାର ବିଭିନ୍ନ ସ୍ଥାନରେ ଭିଡ ରହିବାରୁ ଆମ୍ବୁଲାନ୍ସ ସୁବିଧାରେ ଯାଇପାରି ନ ଥିଲା। ବିଭିନ୍ନ ଜାଗାରେ ଆମ୍ବୁଲାନ୍ସଟି ଭିଡ ଭିତରେ ଫସିଯାଇଥିଲା।

ପରିବାରଲୋକେ ଆମ୍ବୁଲାନ୍ସରୁ ଓହ୍ଲାଇ ରାସ୍ତା କ୍ଲିୟର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ପାରିନ ଥିଲେ। ରାସ୍ତାରେ ଅନ୍ୟ ଗାଡି ଚାଳକମାନେ ମଧ୍ୟ ଆମ୍ବୁଲାନ୍ସଟିକୁ ବାଟ ଛାଡ଼ି ନ ଥିଲେ। ଟ୍ରାଫିକ ପୁଲିସ ବି ରୋଡ କ୍ଲିୟର କରିବାରେ ବିଫଳ ହୋଇଥିଲା। ଘରୋଇ ହସ୍ପିଟାଲରେ ପହଞ୍ଚିବାକୁ ଆମ୍ବୁଲାନ୍ସକୁ ଏକ ଘଣ୍ଟା ସମୟ ଲାଗିଥିଲା। ଶିଶୁପୁତ୍ରଟି ହସ୍ପିଟାଲରେ ପହଞ୍ଚିବା ଆଗରୁ ଅଧା ବାଟରେ ପ୍ରାଣ ହରାଇଥିଲା ବୋଲି ପରିବାରଲୋକେ ଅଭିଯୋଗ କରିଛନ୍ତି।

ବିଡମ୍ବନାର ବିଷୟ, ଟ୍ରାଫିକ୍ ନିୟମ ଲାଗୁ ହେବାପରେ ପୁଲିସ୍ ଉଲ୍ଲଂଘନକାରୀଙ୍କ ଠାରୁ ଗୋଡାଇ ଗୋଡାଇ ପଇସା ଆଦାୟ କରୁଛି। ମୋଟା ଅଙ୍କର ଜୋରିମାନା ଆଦାୟ କରୁଛି। କିନ୍ତୁ କଥା ଅନୁସାରେ କାମ ଦୁର୍ବଳ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ରାଜଧାନୀ ଜୟଦେବ ବିହାର ଠାରୁ ପଟିଆ ଯାଉଥିବା ରାସ୍ତା ସମ୍ବେଦନଶୀଳ ରାସ୍ତା ବୋଲି ସାଧାରଣତଃ କୁହାଯାଏ। କାରଣ ସମ୍ପୃକ୍ତ ରାସ୍ତା କେବଳ ରବିବାରକୁ ଛାଡିଦେଲେ ଅନ୍ୟଦିନମାନଙ୍କରେ ସାଂଘାତିକ ଭିଡ ହୁଏ।

ଉକ୍ତ ରାସ୍ତାରେ ଟ୍ରାଫିକ୍ ପୁଲିସ୍ ଥିଲେ ବି ଟ୍ରାଫିକ୍ ଜାମ୍ ଠାରୁ ଅଧିକ ଫୋକସ୍ ରହିଥାଏ ଫାଇନ୍ ଆଦାୟ କରିବା ଉପରେ। ଏପରିକି ଜରୁରୀକାଳୀନ ଗାଡି ମଧ୍ୟ ଫସି ରହିଯାଇଥିବା ଅନେକ ଥର ନଜିରକୁ ଆସିଛି। ଏନେଇ ବାରମ୍ବାର ଅସନ୍ତୋଷ ଦେଖାଦେବା ସହ ଅଭିଯୋଗ ମଧ୍ୟ କରାଯାଇଥିଲେ ବି ଫଳ ଶୂନ। ଆଜିର ଏହି ଦୁଃଖଦ ଘଟଣା ପରେ ଟ୍ରାଫିକ୍ ସମସ୍ୟା ସରକାର ଓ ପ୍ରଶାସନ କେତେ ସଚେତନ ତାହାର ଚିତ୍ର ଜଣାପଡିଲା।