ନାବାଳିକା ବେବି ନିଖୋଜ ଘଟଣାର ପର୍ଦ୍ଦାଫାଶ; ଦୁଷ୍କର୍ମ ପରେ ହତ୍ୟା କରାଯାଇଛି

ଦଶପଲ୍ଲା,ଏନ୍ଏନ୍ଏସ୍: ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ବାଣିଗୋଛା ଥାନା ଅଧୀନସ୍ଥ ଧୁନ୍ଦୁଗାଡିଆ ଗ୍ରାମର ଶିଶୁକନ୍ୟା ବେବି ନାୟକ(୬)ର ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି। ବେବି ନିଖୋଜ ହେବାର ୫ ଦିନ ପରେ ପୁଲିସକୁ ସଫଳତା ମିଳିଥିଲା। ପୁଲିସ ଆଜି ବେବିର ଗଳିତ ଶବକୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ କରିଥିଲା। ତେବେ ଏହି ହତ୍ୟାକାଣ୍ଡ ଓ ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ଗ୍ରାମର ସାଗର ଦଳେଇ(୨୦)କୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି।

ସୂଚନାକ୍ରମେ, ବେବି ଗତ ୧୨ ତାରିଖ ମଧ୍ୟାହ୍ନ ସମୟରେ ଗାଁ ଦାଣ୍ଡରେ ଖେଳୁଥିଲା। ଏହି ସମୟରେ ଅଭିଯୁକ୍ତ ସାଗର ମୋବାଇଲ୍ ଦେଖାଇବା ବାହାନା କରି ତାକୁ ଗ୍ରାମଠାରୁ ପ୍ରାୟ ୧ କିଲୋମିଟର ଦୂରରେ ଥିବା ଏକ ପରିତ୍ୟକ୍ତ ସ୍ଥାନକୁ ନେଇଯାଇଥିଲା। ସେଠାରେ ଅଭିଯୁକ୍ତ ଜଣଙ୍କ ନାବାଳିକା ସହ ଦୁଷ୍କର୍ମ କରିଥିଲା। ଏକଥା କାଳେ ନାବାଳିକା ବାହାରେ ପ୍ରଘଟ କରିଦେବ ସେହି ଭୟରେ ଏକ ପ୍ଲାଷ୍ଟିକ ରଶିରେ ବେବିର ବେକକୁ ଚିପି ହତ୍ୟା କରିଥିଲା। ଏହାପରେ ଶବକୁ ଏକ କଦଳୀ ଗଛ ମୂଳରେ ଉଲଗ୍ନ ଅବସ୍ଥାରେ ଛାଡି ଚାଲି ଆସିଥିଲା। ଝିଅ ଘରକୁ ନ ଫେରିବାରୁ ବାପା କାଳୁ ଏବଂ ମାଆ ଝୁଲିଙ୍କ ସମେତ ଗାଁ ଲୋକେ ଗ୍ରାମ ନିକଟବର୍ତ୍ତୀ ସ୍ଥାନରେ ଖୋଜାଖୋଜି କରି ନିରାଶ ହୋଇଥିଲେ।

ପରଦିନ ଝିଅ ନିଖୋଜ ସମ୍ପର୍କରେ ବାଣିଗୋଛା ଥାନାରେ ପରିବାର ଲୋକେ ଅଭିଯୋଗ କରିବା ପରେ ଗାଁରେ ଥାନା ଅଧିକାରୀ ବୈଦ୍ୟ ନାରାୟଣ ଭୋଇ ପହଞ୍ଚିଥିଲେ। ପରଦିନ ଅର୍ଥାତ୍ ୧୪ ତାରିଖ ଦିନ ସନ୍ଧାନୀ କୁକୁର ସମେତ ସାଇଣ୍ଟିଫିକ୍ ଟିମ୍, ୧ ପ୍ଲାଟୁନ ପୁଲିସ ଫୋର୍ସ ଏବଂ ଖଣ୍ଡପଡ଼ା ଏସଡିପିଓ ପହଞ୍ଚି ତଦନ୍ତ କରିଥିଲେ। ମାତ୍ର ନିଖୋଜ ଶିଶୁର ସନ୍ଧାନ ପାଇନଥିଲେ। ମାତ୍ର ଝିଅ ବିଭିନ୍ନ ମୋବାଇଲ ଦେଖୁଥିବା କଥା ପରିବାର ପକ୍ଷରୁ ଶୁଣିବା ପରେ ପୁଲିସ ଗ୍ରାମର କିଛି ଯୁବକଙ୍କ ମୋବାଇଲ୍ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ସାଗରର ଫୋନରେ ନିଖୋଜ ଶିଶୁ କନ୍ୟା ବେବିର ଫଟୋ ଦେଖି ସନ୍ଦେହ ସୃଷ୍ଟି ହେବାରୁ ସାଗର ଓ ତାର ଭାଇକୁ ପୁଲିସ ଥାନାକୁ ଆଣିଥିଲା।

ପଚରାଉଚରା ସମୟରେ ସାଗରର କଥାରେ ତାଳମେଳ ରହୁନଥିବା ହେତୁ ପୁଲିସର ସନ୍ଦେହ ଅଧିକ ଘନୀଭୂତ ହୋଇଥିଲା। ପୁଲିସ ଅଧିକ ତଦନ୍ତ ପରେ ଅଭିଯୁକ୍ତ ସାଗର ବେବିକୁ ହତ୍ୟା କରିଥିବା ସ୍ୱୀକାର କରିଥିଲା। ଅଭିଯୁକ୍ତ ଠାରୁ ତଥ୍ୟ ପାଇବା ପରେ ଗତକାଲି ଏସ୍ପି ସିଦ୍ଧାର୍ଥ କାଟରିଆ, ଏସଡିପିଓ ଶୁଭେନ୍ଦୁ ସିହ୍ନା ଏବଂ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ପୁଲିସ ଟିମ୍ ଧୁନ୍ଦୁଗାଡିଆ ଗ୍ରାମରେ ପହଞ୍ଚି ହତ୍ୟାକାରୀକୁ ସାଥିରେ ନେଇ ଘଟଣାର ମକ୍‌ଡ୍ରିଲ କରିଥିଲେ। ଗ୍ରାମର ଅନତି ଦୂରରେ ଶିଶୁକନ୍ୟାର ଗଳିତ ଶବକୁ ମୁଣ୍ଡ-ଗଣ୍ଡି ଅଲଗା ଅଲଗା ସ୍ଥାନରୁ ପୁଲିସ ଜବତ କରିଥିଲା। ଏନେଇ ବାଣିଗୋଛା ପୁଲିସ ଏକ ହତ୍ୟା ଓ ଦୁଷ୍କର୍ମ ମାମଲା ରୁଜୁ କରି ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି। ବ୍ୟବଚ୍ଛେଦ ପରେ ଶବକୁ ପରିବାର ପକ୍ଷରୁ ନିକଟସ୍ଥ କୁଆଁରିଆ ନଦୀରେ ପୋତି ଦିଆଯାଇଛି। ଏପଟେ ଗିରଫ ଅଭିଯୁକ୍ତର ଡାକ୍ତରୀ ମାଇନା କରାଯାଇଛି।

ସୂଚନା ଯୋଗ୍ୟ ଯେ ଅଭିଯୁକ୍ତ ସାଗର ତାମିଲନାଡୁରେ କାମ କରୁଥିବା ବେଳେ ତାଲା ବନ୍ଦ ହେତୁ ଗାଁକୁ ଆସିଥିଲା। ବେବି ପରିବାରର ଏକମାତ୍ର ଝିଅ ହୋଇଥିବା ବେଳେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ସାରା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି। ଏପଟେ ପୁଲିସ ଅଭିଯୁକ୍ତ ଠାରୁ ହତ୍ୟାରେ ବ୍ୟବହୃତ ପ୍ଲାଷ୍ଟିକ ଦଉଡି ଓ ମୋବାଇଲ ଫୋନ ଜବତ କରିଛି।