ସେବା ପ୍ରଦାନରେ ଜନତାଙ୍କ ଆସ୍ଥା ବଢ଼ାଅ- ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ଏନ୍ଏନ୍ଏସ୍: ବିଭିନ୍ନ ସରକାରୀ ସେବା ପ୍ରଦାନରେ ଜନସାଧାରଣଙ୍କ ଆସ୍ଥା ବୃଦ୍ଧି କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଆଲୋଚନା କରି ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି । ସେ କହିଥିଲେ ଯେ ସ୍ୱଚ୍ଛ ଓ ନିରପେକ୍ଷ ପ୍ରକ୍ରିୟା ମାଧ୍ୟମରେ ସମୟାନୁବନ୍ଧିତ ସେବା ପ୍ରଦାନ କଲେ ଲୋକଙ୍କ ମନରେ ସେବା ପ୍ରଦାନ ବିଷୟରେ ସନ୍ତୋଷ ସୃଷ୍ଟିହେବ ଏବଂ ସରକାରୀ ବ୍ୟବସ୍ଥା ପ୍ରତି ଆସ୍ଥା ବୃଦ୍ଧିପାଇବ ।
କୋଭିଡ୍ ଅନ୍ଲକିଂ ସ୍ଥିତିରେ ଜୀବିକା ଅର୍ଜନ ଓ ନିଯୁକ୍ତି ସୃଷ୍ଟି ଭିତ୍ତିକ ପ୍ରକଳ୍ପଗୁଡ଼ିକର ତ୍ୱରିତ କାର୍ଯ୍ୟାନ୍ୱୟନ ନିମନ୍ତେ ମଧ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଉଦ୍ୟାନ ଚାଷ, ପଶୁପାଳନ, ସମନ୍ୱିତ କୃଷି, ଉଠା ଜଳସେଚନ, ପାନୀୟ ଜଳ ଯୋଗାଣ, ଗ୍ରାମୀଣ ଗୃହନିର୍ମାଣ, ରାସ୍ତା ଘାଟ ନିର୍ମାଣ ଆଦି ପ୍ରକଳ୍ପର କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବାପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଏହି ସବୁ କାର୍ଯ୍ୟର ବାସ୍ତବ ସ୍ଥିତି ବିଷୟ ପ୍ରତି ସପ୍ତାହରେ ଅନୁଧ୍ୟାନ କରିବା ନିମନ୍ତେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଶ୍ରୀ ମହାପାତ୍ର ଆହୁରି କହିଥିଲେ ଯେ ପ୍ରତି ଜିଲ୍ଲାର ପ୍ରାକୃତିକ ପରିବେଶ, ଜଳବାୟୁ ଓ ମାନବ ସମ୍ବଳର ସ୍ୱାତନ୍ତ୍ର ଅଛି। ବିଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ ପ୍ରକାର କୃଷିଭିତ୍ତିକ ଫାର୍ମ ଓ କୃଷି ଉଦ୍ୟୋଗର ମଧ୍ୟ ସମ୍ଭାବନା ଅଛି । ଏହିସବୁ ସମ୍ବଳ ଓ ସମ୍ଭାବନାର ଅନୁଧ୍ୟାନ କରି ଅଭିନବ ପ୍ରକଳ୍ପ ପ୍ରସ୍ତାବ ପ୍ରସ୍ତୁତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଏ ପ୍ରକାର ଅଭିନବ ପ୍ରକଳ୍ପ ନିମନ୍ତେ ଅର୍ଥର ଅଭାବ ହେବନାହିଁ । ଅର୍ଥ ସହ ଆବଶ୍ୟକୀୟ ବୈଷୟିକ କୌଶଳ ସରକାରଙ୍କ ତରଫରୁ ଯୋଗାଇ ଦିଆଯିବ ବୋଲି ଶ୍ରୀ ମହାପାତ୍ର ପ୍ରତିଶ୍ରୁତି ଦେଇଥିଲେ । ଆସନ୍ତା ୧୦ଦିନ ମଧ୍ୟରେ ନିଜ ନିଜ ଜିଲ୍ଲାରେ ବିଭିନ୍ନ ବିଭାଗ ମାଧ୍ୟମରେ କାର୍ଯ୍ୟକାରୀ କରାଯାଇଥିବା ପ୍ରକଳ୍ପଗୁଡ଼ିକର ସମୀକ୍ଷାକରି ଗୁରୁତ୍ୱପୂର୍ଣ୍ଣ ଶୂନ୍ୟସ୍ଥାନଗୁଡ଼ିକ ଚିହ୍ନଟ କରିବା ନିମନ୍ତେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବାକି ରହିଯାଇଥିବା ଦିଗ ଓ ଏବଂ ବିଭିନ୍ନ ପ୍ରକଳ୍ପଗୁଡ଼ିକର ସମନ୍ୱୟ କ୍ଷେତ୍ରରେ ଥିବା ଶୂନ୍ୟସ୍ଥାନଗୁଡ଼ିକ ଚିହ୍ନଟ କରି ତଦନୁଯାୟୀ ପ୍ରକଳ୍ପ ପରାମର୍ଶ ଦେବାକୁ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଥିଲେ ।