ନୂଆଦିଲ୍ଲୀ,ଏଜେନ୍ସି: ଭାରତର ପଡୋଶୀ ରାଷ୍ଟ୍ରଗୁଡିକରେ ଚୀନ୍ ପ୍ରଭାବ ବିସ୍ତାର କରିବାକୁ ଉଦ୍ୟମ କରୁଥବାରୁ ଏହି ପରିପ୍ରେକ୍ଷୀରେ ଭାରତୀୟ ସ୍ଥଳ ସେନାଧ୍ୟକ୍ଷ ଜେନେରାଲ ଏମ୍ ଏମ୍ ନରୱଣେ ଓ ବୈଦେଶିକ ସଚିବ ହର୍ଷ ଶ୍ରୀଙ୍ଗ୍ଲା ମ୍ୟାଁମାର ଗସ୍ତରେ ଯାଉଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଅତୀତରେ ଜେନେରାଲ ନରୱଣେ ମ୍ୟାଁମାରରେ ଭାରତର ପ୍ରତିରକ୍ଷା ଆଟାଚି ଭାବେ କାର୍ଯ୍ୟ କରିଥିଲେ ।
ଜେନେରାଲ ନରୱଣେ ଓ ହର୍ଷ ଶ୍ରୀଙ୍ଗ୍ଲା ରବିବାର ମ୍ୟାଁମାର ଗସ୍ତରେ ଯିବେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ(ଏମ୍ଇଏ) ପକ୍ଷରୁ ସୂଚନା ଦିଆଯାଇଛି । ଏହି ଅବସରରେ ଦୁଇଦେଶ ମଧ୍ୟରେ ଦ୍ୱି-ପାକ୍ଷିକ ସମ୍ବନ୍ଧ ଦୃଢ କରିବାକୁ ଏବଂ ପାରସ୍ପରିକ ସହଯୋଗ ବୃଦ୍ଧି କରିବା ବିଷୟରେ ମ୍ୟାଁମାର ଷ୍ଟେଟ୍ କାଉନ୍ସିଲର୍ ଅଙ୍ଗସାନ୍ ସୁ କିଙ୍କ ସହ ଉଭୟ ଭାରତୀୟ ଅଧିକାରୀ ଆଲୋଚନା କରିବେ । ଏହାଛଡ଼ା ମ୍ୟାଁମାର ସେନାବାହିନୀ କମାଣ୍ଡର-ଇନ୍-ଚିଫ୍ ଜେନେରାଲ୍ ଅଙ୍ଗ ହ୍ଲାଇଙ୍ଗଙ୍କ ସହ ଭାରତୀୟ ଅଧିକାରୀମାନେ ଆଲୋଚନା କରିବେ ବୋଲି ଏମ୍ଇଏ ପକ୍ଷରୁ କୁହାଯାଇଛି । କୋଭିଡ୍ ମହାମାରୀ ଏବଂ ଭାରତ-ଚୀନ୍ ସୀମାବିବାଦ ମଧ୍ୟରେ ଏହା ସେନାମୁଖ୍ୟ ନରୱଣେଙ୍କର ପ୍ରଥମ ବିଦେଶ ଗସ୍ତ ।