ଚାଷୀଙ୍କୁ ହଇରାଣ ନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ । ଏହି ସମୟରେ ଚାଷୀମାନେ ଯେପରି କୃଷିକାର୍ଯ୍ୟ କରିବାରେ କୌଣସି ସମସ୍ୟା ଅନୁଭବ ନ କରନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ପୁଲିସ ଡ଼ିଜିଙ୍କୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନୁରୂପ ଭାବରେ ଉତ୍ପାଦିତ ସାମଗ୍ରୀର ପରିବହନ ଓ ବିକ୍ରି ନେଇ ଚାଷୀଙ୍କ ସୁବିଧା ପ୍ରତି ମଧ୍ୟ ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଛନ୍ତି । ନିଜ ବାସଭବନରୁ ମୁଖ୍ୟମନ୍ତ୍ରୀ ଭିଡ଼ିଓ କନଫରେନ୍ସିଂ ଜରିଆରେ ମୁଖ୍ୟ ସଚିବ, ଡ଼ିଜି ଓ ଅନ୍ୟ ଅଧିକାରୀମାନଙ୍କ ସହ କରୋନା ପରିସ୍ଥିତିର ସମୀକ୍ଷା କରିଛନ୍ତି ।

ରାଜ୍ୟରେ କରୋନା ସଂକ୍ରମଣ ପରିସ୍ଥିତି, ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ, ଚାଷୀଙ୍କ ସମସ୍ୟା ନେଇ ଆଲୋଚନା ହୋଇଥିଲା । ଏହି ଅବସରରେ ଅଭ୍ୟାସଗତ ଅପରାଧୀମାନଙ୍କ ପ୍ରତି କଠୋର ମନୋଭାବ ପୋଷଣ କରିବାକୁ ମୁଖ୍ୟମନ୍ତ୍ରୀ ପୁଲିସକୁ ନିର୍ଦେଶ ଦେଇଛନ୍ତି । ସଂକ୍ରମଣ ନିୟନ୍ତ୍ରଣରେ ଓଡ଼ିଶା ଭଲ କାମ କରିଥିବାରୁ ପରିସଂଖ୍ୟାନ ଦୃଷ୍ଟିରୁ ରାଜ୍ୟରେ କରୋନା ନିମ୍ନଗାମୀ ହେଉଛି ଓ ଏହା ରାଜ୍ୟ ପାଇଁ ଭଲ ଲକ୍ଷଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ, ପ୍ରଶାସନ ଓ ପୁଲିସ ଅଧିକାରୀ, ସଫେଇ କର୍ମଚାରୀ ଓ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।