ଆଜି ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁସେବା ଯୋଜନା, ରୋଗୀଙ୍କ ପାଖରେ ପହଞ୍ଚିବେ ଡାକ୍ତର

ଭୁବନେଶ୍ବର,ଏନ୍ଏନ୍ଏସ୍: ବିକଶିତ ହେଉଛି ସ୍ବାସ୍ଥ୍ୟସେବା। ଏଥିରେ ଯୋଡି ହେଉଛି ଆଉ ଏକ ମାଇଲଖୁଣ୍ଟ। ରାଜ୍ୟବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ବାୟୁସେବା ଆରମ୍ଭ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ଏହି ସେବା ଦ୍ବାରା ଉପାନ୍ତ ଜିଲ୍ଲାବାସୀଙ୍କୁ ମିଳିବ ସ୍ପେସିଆଲିଟି ସ୍ବାସ୍ଥ୍ୟସେବା। ଯେତେ ବି ଜଟିଳ ରୋଗ ହେଉ ନା କାହିଁକି ନିଜ ଜିଲ୍ଲାରେ ସେବା ପାଇବେ ଜିଲ୍ଲାବାସୀ। ଯାହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ବର ବିମାନବନ୍ଦରରୁ ଏହି ସେବା ଆରମ୍ଭ ହେବ।

ଏହି ସେବାରେ ପ୍ରଥମ ପର୍ଯ୍ୟାୟରେ ୪ଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯାଇଛି। ମାନକାନଗିରି, ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡାବାସୀ ନିଜ ଜିଲ୍ଲାରେ ଚିକିତ୍ସା ସୁବିଧା ପାଇବେ। ବିମାନରେ ଡାକ୍ତର ଜିଲ୍ଲାରେ ପହଞ୍ଚି ସ୍ବାସ୍ଥ୍ୟସେବା ଯୋଗାଇବେ। ଜିଲ୍ଲା ହସ୍ପିଟାଲରେ ଚିକିତ୍ସା ସୁବିଧା ନ ଥିବାରୁ ରୋଗୀଙ୍କୁ ଭୁବନେଶ୍ବର, କଟକ ସହରକୁ ଆସିବାକୁ ପଡୁଥିଲା। ଅଜଥା ଖର୍ଚ୍ଚାନ୍ତ ହେବାକୁ ପଡୁଥିଲା। ପରିବାର ଲୋକ ମଧ୍ୟ ଅସୁବିଧା ଭୋଗୁଥିଲେ। ହେଲେ ଏହି ସେବା ଦ୍ବାରା ରୋଗୀ ନୁହେଁ ଡାକ୍ତର ରୋଗୀଙ୍କ ପାଖରେ ପହଞ୍ଚିବେ।

ଏହି ସ୍ବାସ୍ଥ୍ୟ ସେବାରୁ ଦୁର୍ଗମ ଅଞ୍ଚଳବାସୀଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବା ମୁଖ୍ୟ ଲକ୍ଷ୍ୟ ରହିଛି। ଅପହଞ୍ଚ ଇଲାକାର ଲୋକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯିବା ପରେ ବିଶେଷଜ୍ଞ ଡାକ୍ତରୀ ଟିମ ସେଠାରେ ପହଞ୍ଚି ଚିକିତ୍ସା କରିବେ। ଦରକାର ପଡିଲେ ରୋଗୀଙ୍କୁ ଏୟାର ଲିଫ୍ଟ କରଯାଇ କଟକ, ଭୁବନେଶ୍ବର ଅଣାଯିବ। ନିକଟରେ ରାଜ୍ୟରେ ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରିଛନ୍ତି ରାଜ୍ୟ ସରକାର। ମାଲକାନଗିରିରୁ ଆରମ୍ଭ ହୋଇ ଯାଜପୁରରେ ଶେଷ ହୋଇଥିଲା କାର୍ଡ ବଣ୍ଟନ କାର୍ଯ୍ୟକ୍ରମ। ଏହାପରେ ପୁଣି ମୁଖ୍ୟମନ୍ତ୍ରୀ ବାୟୁସେବା ଯୋଜନାର ଶୁଭାରମ୍ଭ ହେବାକୁ ଯାଉଛି। ବାସ୍ତବରେ ଏହି ସେବାରେ ଲୋକ କେତେ ଉପକୃତ ହେଉଛନ୍ତି ତାହା ଦେଖିବା ବାକି ରହିଲା।