ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ‘ମାଜେଷ୍ଟିକ ମାରା’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗଜପତି ମହାରାଜ ଦିବ୍ୟ ସିଂହ ଦେବଙ୍କ ପୁସ୍ତକ ‘ମାଜେଷ୍ଟିକ ମାରା’କୁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚିତ କରିଛନ୍ତି। କେନିୟାର ମଶାଇ ମାରା ଅଭୟାରଣ୍ୟର ଭ୍ରମଣ ଅନୁଭୂତିକୁ ନେଇ ଗଜପତି ଦିବ୍ୟ ସିଂହ ଦେବ ଦେବ ଏହି ପୁସ୍ତକ ଲେଖିଛନ୍ତି । ମଶାଇ ମାରାରେ ଭ୍ରମଣ ବେଳର ଫଟୋ ସମ୍ବଳିତ ପୁସ୍ତକକୁ ଉନ୍ମୋଚିତ କରାଯାଇଛି ।

ମୁଖ୍ୟମନ୍ତ୍ରୀ ଏହି ପୁସ୍ତକ ଉନ୍ମୋଚନ କରିବା ବେଳେ କେନିୟାର ଓଡ଼ିଆ ସାଂସଦ ସ୍ୱରୂପ ମିଶ୍ର ଓ ଭାରତରେ କେନିୟାର ରାଷ୍ଟ୍ରଦୂତ ୱିଲି ବେଟ୍ ମଧ୍ୟ ଉପସ୍ଥିତ ରହିଥିଲେ । ଏହି ପୁସ୍ତକରେ ସ୍ଥାନିତ ହୋଇଥିବା ଫଟୋଗୁଡିକୁ ଆଶିଷ ଧୀର, ଦିଲ୍ଲୀପ ଧୀର ସାମନ୍ତ ଓ ଅମରଜ୍ୟୋତି ସିଂ ଦେଓ ଉତ୍ତୋଳନ କରିଛନ୍ତି।

ସୂଚନା ଅନୁସାରେ ମଶାଇ ମାରା ଅଭୟାରଣ୍ୟ କେନିଆ ଓ ତାଞ୍ଜାନିଆ ସୀମାରେ ରହିଛି। ମାରା ନଦୀ ଏହା ମଧ୍ୟ ଦେଇ ପ୍ରବାହିତ ହୋଇଥିବାବେଳେ ଏହି ଅଭୟାରଣ୍ୟରେ ଜେବ୍ରା, ହରିଣ, ହାତୀ, ସିଂହ ଓ ଚିତାବାଘ ପ୍ରମୁଖ ଜୀବଜନ୍ତୁଙ୍କୁ ଦେଖିବାକୁ ମିଳିଥାଏ। ଏହି ଅଭୟାରଣ୍ୟ ପାଖାପାଖି ୧୫୦୦ ବର୍ଗ କିଲୋମିଟର କ୍ଷେତ୍ରରେ ପରିବ୍ୟାପ୍ତ ହୋଇଥିବାବେଳେ ବହୁ ସଂଖ୍ୟାରେ ପର୍ୟ୍ୟଟକ ଏଠାକୁ ବୁଲିବାକୁ ଯାଇଥାନ୍ତି।