ଭ୍ରମଣ ପୁସ୍ତକ ‘ପ୍ରାଚୁର୍ଯ୍ୟର ଇଲାକାରେ ଗୋଟିଏ ମାସ’ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଲୋକସେବା ଭବନରେ ବିଶ୍ୱମୋହନ ପଟ୍ଟନାୟକଙ୍କ ଦ୍ୱାରା ରଚିତ ଭ୍ରମଣ ପୁସ୍ତକ ‘ପ୍ରାଚୁର୍ଯ୍ୟର ଇଲାକାରେ ଗୋଟିଏ ମାସ’ ଲୋକର୍ପିତ କରିଛନ୍ତି। ଏହା ସ୍କୁଲ ଓ କଲେଜରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ଆକୃଷ୍ଟ କରିବା ସହିତ ସେମାନଙ୍କ ପାଇଁ ଉପାଦେୟ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଲୋକାର୍ପଣ ଉତ୍ସବରେ ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ପରିବେଶବିତ୍ ଦିଲ୍ଲୀପ ଶ୍ରୀଚନ୍ଦନ ଏବଂ ପ୍ରକାଶିକା ଜୟଶ୍ରୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଲେଖକ ବିଶ୍ୱମୋହନ ପଟ୍ଟନାୟକଙ୍କ ଦ୍ୱାରା ରଚିତ ଏହି କଫି ଟେବୁଲ ଭ୍ରମଣ ପୁସ୍ତକଟିକୁ ୨୦୧୪ରେ ଅନୁଷ୍ଠିତ ପୁସ୍ତକମେଳାରେ ଶ୍ରେଷ୍ଠ ଭ୍ରମଣ ପୁସ୍ତକ ରୂପେ ପୁରସ୍କୃତ କରାଯାଇଥିଲା। ଉକ୍ତ ପୁସ୍ତକକୁ ୧୦ ହଜାର ବିଦ୍ୟାଳୟକୁ ବଣ୍ଟନ କରାଯିବ ବୋଲି ଲେଖକ ଶ୍ରୀ ପଟ୍ଟନାୟକ କହିଥିଲେ। ଏହାର ଇଂରାଜୀ ଅନୁବାଦ ‘ଏ ମନ୍ଥ ଇନ୍ ସୀନ ଲ୍ୟାଣ୍ଡ୍ ଅଫ୍ ପ୍ଲେଣ୍ଟି’କୁ ମଧ୍ୟ ୨ହଜାର କଲେଜକୁ ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ମୋ ସ୍କୁଲ କାର୍ଯ୍ୟକ୍ରମରେ ଅନୁପ୍ରାଣୀତ ହୋଇ ପ୍ରକାଶକ ଏହି ପୁସ୍ତକଦ୍ୱୟକୁ ଉପହାର ଦେଇଛନ୍ତି ବୋଲି ପ୍ରକାଶିକା ଜୟଶ୍ରୀ ପଟ୍ଟନାୟକ କହିଥିଲେ। ଏହ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପରିବେଶ ଉପରେ ପୂର୍ବତନ ବିଧାୟକ ତଥା ପରିବେଶବିତ୍ ଡ଼ଃ ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ରଚିତ ଇଂରାଜୀ ପୁସ୍ତକ ‘ଷ୍ଟପ୍:ଗ୍ଲୋବାଲ ୱାର୍ମିଂ ଫ୍ରମ୍ ଇୟର୍ ସ୍କୁଲ’କୁ ମଧ୍ୟ ଲୋକର୍ପଣ କରିଥିଲେ।