ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଐତିହ୍ୟ ଓ ନିରାପତ୍ତା କରିଡର୍ କାର୍ଯ୍ୟ ସମୀକ୍ଷାକଲେ ମୁଖ୍ୟମନ୍ତ୍ରୀ

ପୁରୀ,ଏନ୍‌ଏନ୍‌ଏସ୍‌: ଶ୍ରୀଜଗନ୍ନାଥ ମନ୍ଦିରର ଶୋଭାବୃଦ୍ଧି, ଚତୁଃପାଶ୍ୱର୍ର ସୌନ୍ଦର୍ଯ୍ୟକରଣ, ମନ୍ଦିର ଓ ଭକ୍ତମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ଅବଢ଼ା ଯୋଜନାରେ ଐତିହ୍ୟ ଓ ନିରାପତ୍ତା କରିଡର୍ ନିର୍ମାଣର ପରିକଳ୍ପନା କରାଯାଇ କାର୍ଯ୍ୟ ଆଗେଇ ଚାଲିଛି । ଏହି ଯୋଜନାରେ ମନ୍ଦିର ଚତୁଃପାର୍ଶ୍ୱ ରାସ୍ତାକୁ ପ୍ରଶସ୍ତ କରାଯାଉଥିବାବେଳେ ବଡ଼ଦାଣ୍ଡର ଶୋଭା ବୃଦ୍ଧି କରାଯାଉଛି । ଏହି କ୍ରମରେ ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ଅଞ୍ଚଳରେ ସୃଷ୍ଟି କରାଯାଇଛି ସବୁଜିମା । ବିଭିନ୍ନ ବୃକ୍ଷରାଜିରେ ମନୋରମ ପରିବେଶ ସୃଷ୍ଟି କରାଯାଇଛି । ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ନିରାପତ୍ତା ଓ ଐତିହ୍ୟ କରିଡର୍ ପାଇଁ ଆଗେଇ ଚାଲିଛି ଜମି ଅଧିଗ୍ରହଣ ଏବଂ ଉନ୍ନୟନ କାର୍ଯ୍ୟ । ଶ୍ରୀଜଗନ୍ନାଥ ହେରିଟେଜ୍ କରିଡର ପ୍ରତିଷ୍ଠା ପାଇଁ ଘୋଷଣା କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ନିରାପତ୍ତା ଓ ଐତିହ୍ୟ କରିଡର୍ ମଧ୍ୟରେ ଚାଲିଥିବା କାର୍ଯ୍ୟର ଅନୁଧ୍ୟାନ ତଥା ସମୀକ୍ଷା କରିଛନ୍ତି ।

ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ସିଂହଦ୍ୱାର ସମ୍ମୁଖରେ ପହଞ୍ଚି ଅରୁଣସ୍ତମ୍ଭ ନିକଟରୁ ପତିତପାବନଙ୍କୁ ଦର୍ଶନ କରି ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । କୋଭିଡ୍ କଟକଣା ଯୋଗୁଁ ଶ୍ରୀପଟ୍ଟନାୟକ ମନ୍ଦିର ବାହାରୁ ଦର୍ଶନ କରିବା ପରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଚାଲିଥିବା ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ବୁଲି ଦେଖିଥିଲେ । ଏହି ପରିଦର୍ଶନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଫାଇଭ୍ ଟି’ ସଚିବ ଭିକେ ପାଣ୍ଡିଆନ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ କୁମାର ସିଂ, ଜିଲ୍ଲାପାଳ ବଲୱନ୍ତ ସିଂ, ଆରକ୍ଷୀ ଅଧୀକ୍ଷକ ଅଖିଳେଶ୍ୱର ସିଂ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଅଗ୍ରଗତିରେ ସନ୍ତୋଷ ପ୍ରକାଶ କରିଥିଲେ ।

ଏହି ଅବସରରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ପ୍ରକାଶ କରିଥିଲେ ଯେ ମୁଖ୍ୟମନ୍ତ୍ରୀ ଶ୍ରୀଜଗନ୍ନାଥ ହେରିଟେଜ୍ କରିଡର୍ ପାଇଁ ଘୋଷଣା କରିଥିଲେ । ସେବେଠାରୁ ଏଥିପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଚାଲୁ ରହିଛି । ୩ ମାସ ମଧ୍ୟରେ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହୋଇଯିବ । ଏ ସମ୍ପର୍କରେ ସେ ସମୀକ୍ଷା କରିଛନ୍ତି । ସହରର ଉନ୍ନତିକରଣ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି । ଏ ମଧ୍ୟରେ ମ୍ୟୁନିସପାଲ୍ ମାର୍କେଟ୍‌ର ନବୀକରଣ ବା ପୁନଃନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଗଲାଣି । ଶ୍ରୀସେତୁ ଓ ଜଗନ୍ନାଥ ବଲ୍ଲଭ ସୌଧ ପାଇଁ ଟେଣ୍ଡର୍ ପ୍ରକ୍ରିୟା ସାରିଛି । ଖୁବଶୀଘ୍ର କାମ ଆରମ୍ଭ ହେବ ।