ବନ୍ୟା କ୍ଷତିଗ୍ରସ୍ତଙ୍କୁ ୫୦ କିଲୋ ଚାଉଳ, ୫୦୦ ଟଙ୍କା ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ବନ୍ୟାଞ୍ଚଳ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆକାଶମାର୍ଗରୁ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଥିଲେ। ସେଠାରୁ ଫେରିବା ପରେ ଏକ ଉଚ୍ଚସ୍ତରୀୟ ବୈଠକରେ ବନ୍ୟା ପରିସ୍ଥିତି, ରିଲିଫ ବଣ୍ଟନ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ଜରୁରୀ ସହାୟତା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ବନ୍ୟା ଯୋଗୁଁ ସ୍ଥାନାନ୍ତରିତ ସବୁଲୋକଙ୍କୁ ଆଶ୍ରୟସ୍ଥଳରେ ରନ୍ଧା ଖାଦ୍ୟ/ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବ। ଗୁରୁତର ଭାବରେ କ୍ଷତିଗ୍ରସ୍ତ ତଥା ଜଳମଗ୍ନ ଗ୍ରାମର ପରିବାରବର୍ଗକୁ ୫୦ କେଜି ଚାଉଳ ଓ ୫୦୦ ଟଙ୍କା ତୁରନ୍ତ ସହାୟତା ଯୋଗାଇ ଦିଆଯିବ। ସେହିପରି ଘର ଭାଙ୍ଗିଥିବା ପ୍ରତି ଯୋଗ୍ୟ ପରିବାରକୁ ଗୋଟିଏ ପଲିଥିନ ସିଟ୍ ଓ ଘରଭଙ୍ଗା ସହାୟତା ଦିଆଯିବ। ୧୫ ଦିନ ଭିତରେ ଜିଲ୍ଲାପାଳ ଘରଭଙ୍ଗାର ଆକଳନ କରିବେ ଏବଂ ପରବର୍ତ୍ତୀ ଏକ ସପ୍ତାହରେ ସହାୟତା ପ୍ରଦାନ କରାଯିବ। ଏସଡିଆରଏଫ ନିୟମ ଅନୁଯାୟୀ କ୍ଷତିଗ୍ରସ୍ତକୁ ଲୁଗାପଟା ଓ ବାସନକୁସନ ଦିଆଯିବ। ଦୁଗ୍ଧଚାଷୀଙ୍କୁ ଗୋଖାଦ୍ୟ ସହାୟତା ଦିଆଯିବ। କ୍ଷତିଗ୍ରସ୍ତ ଅଞ୍ଚଳରେ ପଶୁପକ୍ଷୀଙ୍କୁ ମାଗଣାରେ ଚିକିତ୍ସା ଓ ଟୀକାକରଣ ସୁବିଧା ମିଳିବ। କ୍ଷତିଗ୍ରସ୍ତ ଅଞ୍ଚଳରେ ମାଗଣାରେ ପଶୁ ଚିକିତ୍ସା ଶିବିର ଖୋଲାଯାଇ ପଶୁପକ୍ଷୀଙ୍କ ଚିକିତ୍ସା କରାଯିବ। ଅନ୍ୟ ସମସ୍ତ କ୍ଷତିଗ୍ରସ୍ତ ଜିଲ୍ଲାମାନଙ୍କରେ ଏସଡିଆରଏଫ ନିୟମ ଅନୁଯାୟୀ ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ସାଂପ୍ରତିକ ବନ୍ୟାରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ଅନେକ ଗାଁରେ ବନ୍ୟା ଜଳ ପଶି ଥିବା ବେଳେ ବହୁ ଚାଷଜମି ଜଳମଗ୍ନ ଅବସ୍ଥାରେ ଅଛି। ଘର ଭାଙ୍ଗିବା ସହ ରାସ୍ତା ଭାଙ୍ଗିଛି ଏବଂ ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଅନେକ ଛୋଟବନ୍ଧ ଭାଙ୍ଗିଯାଇଛି। ସରକାରୀ ଭିତ୍ତିଭୂମି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଲୋକଙ୍କ ଏହି ବିପତ୍ତି ସମୟରେ ଓଡ୍ରାଫ୍, ଏନଡିଆରଏଫ, ଅଗ୍ନିଶମ, ଏସ୍ଆରସି ସ୍ଥାନୀୟ ନାଉରିଆମାନେ ସର୍ବୋପରି ସ୍ଥାନୀୟ ଲୋକମାନେ ଯେପରି ସାହସ ଓ ପ୍ରତିବଦ୍ଧତାର ସହ ଲୋକଙ୍କୁ ସେବା ଯୋଗାଉଛନ୍ତି ମୁଖ୍ୟମନ୍ତ୍ରୀ ତାର ଉଚ୍ଚପ୍ରଶଂସା କରିଛନ୍ତି। ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ, ସରକାରୀ କର୍ମଚାରୀ ଓ ପଞ୍ଚାୟତ ପ୍ରତିନିଧିମାନେ ଦିନରାତି ଲୋକଙ୍କୁ ସେବା ଯୋଗାଇ ଚାଲିଛନ୍ତି। ଜଳସଂପଦ ବିଭାଗର ତତ୍ପରତା ଯୋଗୁଁ ଅନେକ ବନ୍ଧକୁ ରକ୍ଷା କରାଯାଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଲୋକଙ୍କ କଷ୍ଟ ଲାଘବ ସହ କ୍ଷତି ହ୍ରାସ କରିବା, ରାସ୍ତା, ଯୋଗାଯୋଗ, ବିଦ୍ୟୁତ୍ ସରବରାହ ପୁନଃପ୍ରତିଷ୍ଠା ଏବଂ ବନ୍ଧବାଡ଼ର ମରାମତି କ୍ଷେତ୍ରରେ ତ୍ୱରିତ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଆମେ ବର୍ତ୍ତମାନ ଏକ କଠିନ ପରିସ୍ଥିତିରେ ଗତି କରୁଛୁ। ବନ୍ୟା ଓ କରୋନା ଦୁଇଟି ବିପଦକୁ ଆମେ ମୁକାବିଲା କରୁଛୁ। ଏହି ପରିପ୍ରେକ୍ଷୀରେ ସମସ୍ତେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ନିୟମ ପାଳନ କରି କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ହେବ। ସମସ୍ତଙ୍କ ସହଯୋଗରେ ଏହି କଠିନ ପରିସ୍ଥିତିରୁ ଆମେ ଶୀଘ୍ର ମୁକୁଳି ପାରିବା ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ।

ସମୀକ୍ଷା ବୈଠକରେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏବଂ ଜଳସଂପଦ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ ବନ୍ୟା ପରିସ୍ଥିତି, ଉଦ୍ଧାର, ସହାୟତା ଓ ବନ୍ଧବାଡ଼ର ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଉପସ୍ଥାପନା କରିଥିଲେ। ସମୀକ୍ଷାରୁ ଜଣାଯାଇଛି ଯେ ସାଂପ୍ରତିକ ବନ୍ୟାରେ ରାଜ୍ୟର ୨୦ଟି ଜିଲ୍ଲାର ୧୧୦ ବ୍ଲକ୍, ୩୯୯୦ଟି ଗାଁ ଏବଂ ୨୧ଟି ପୌରାଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ବିଭିନ୍ନ ସ୍ଥାନରେ ୩୬ଟି ଛୋଟ ଓ ଗୋଟିଏ ବଡ଼ ଘାଇ ହୋଇଛି। ହୀରାକୁଦରେ ଜଳପ୍ରବାହ କମିଥିବାରୁ ପରିସ୍ଥିତିରେ ଖୁବଶୀଘ୍ର ଉନ୍ନତି ଆସିବ ବୋଲି ବୈଠକରେ ଆଶାପ୍ରକାଶ କରାଯାଇଥିଲା। ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ଶାସନ ସଚିବ ଏବଂ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ।