ଭୁବନେଶ୍ଵର,ଏଜେନ୍ସି: କୋରୋନା ମୁକାବିଲା ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ଵପୂର୍ଣ୍ଣ କ୍ୟାବିନେଟ ବୈଠକ ହୋଇଛି। ଏହି ବୈଠକରେ କୋରୋନା ପ୍ରତିଷେଧକ ଓ ଏନେଇ ପାଣ୍ଠି ବ୍ୟୟବରାଦ ନିଷ୍ପତ୍ତି ନିଆଯାଇଛି। ଏହା ସହ ଅନ୍ୟ କେତେକ ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଥିବା ସୂଚନା ମିଳିଛି।
ସୂଚନାନୁଯାୟୀ, ଆଜିର ଗୁରୁତ୍ଵପୂର୍ଣ୍ଣ କ୍ୟାବିନେଟ ବୈଠକରେ ୨ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ବର୍ତ୍ତମାନ ସ୍ଥିତିରେ ଦେଶରେ କାୟା ବିସ୍ତାର କରୁଥିବା କୋରୋନାକୁ ନେଇ ଦେଶବାସୀ ଆତଙ୍କିତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିବା ସହ ୨୦୦ କୋଟି ଟଙ୍କାର ପାଣ୍ଠି ବ୍ୟୟବରାଦ ନିଷ୍ପତ୍ତି ନେଇଛନ୍ତି। ଏଥିସହ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି। ଏହି ନିଷ୍ପତ୍ତିକୁ କ୍ୟାବିନେଟ ବୈଠକରେ ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇଥିବା ନେଇ ଗୃହକୁ ଅବଗତ କରାଇଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ରାଜ୍ୟର ସମସ୍ତ ସିନେମା ହଲକୁ ମଧ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।