ସାମ୍ବାଦିକଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ସହାୟତା

ଭୁବନେଶ୍ୱର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ପାଇଁ ସ୍ୱତନ୍ତ୍ର ସହାୟତା ପ୍ରଦାନ କରୁଛନ୍ତି। ଏହିକ୍ରମରେ ଆଜି ଢ଼େଙ୍କାନାଳ ଜିଲ୍ଲାର ଜଣେ କର୍ମଜୀବୀ ସାମ୍ବାଦିକଙ୍କ କିଡ୍ନୀ ପ୍ରତିରୋପଣ ପାଇଁ ପ୍ରାରମ୍ଭିକ ସହାୟତା ଭାବେ ୨ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ପରାମର୍ଶଦାତା (ଗଣମାଧ୍ୟମ)ମାନସ ମଙ୍ଗରାଜ ଆଜି ଉକ୍ତ ସହାୟତା ରାଶି ପ୍ରଦାନ କରିଛନ୍ତି।

ଦୈନିକ ପ୍ରମେୟ ଖବରକାଗଜର ଢ଼େଙ୍କାନାଳ ଜିଲ୍ଲା ପ୍ରତିନିଧି ଆଦିତ୍ୟ ପଣ୍ଡା କିଡନୀ ରୋଗରେ ପୀଡ଼ିତ ହୋଇ ତାଙ୍କର ୨ଟିଯାକ କିଡ୍ନୀ ଅକାମୀ ହୋଇଯାଇଛି। ତାଙ୍କ ଭଉଣୀ ତାଙ୍କୁ ଗୋଟିଏ କିଡ୍ନୀ ପ୍ରଦାନ କରିବାକୁ ସହମତି ଦେଇଛନ୍ତି। ତେବେ ପ୍ରତିରୋପଣ ପାଇଁ ୨ଲକ୍ଷ ଟଙ୍କା ଆବଶ୍ୟକ।

ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଏହି ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ଆଜି ଶ୍ରୀ ମଙ୍ଗରାଜ ପ୍ରାରମ୍ଭିକ ସହାୟତା ଅର୍ଥ ପ୍ରଦାନ କରିଛନ୍ତି। ଜଣେ ସାମ୍ବାଦିକ ଭାବେ ମାନସଙ୍କର ସାମ୍ବାଦିକଙ୍କ ପ୍ରତି ରହିଥିବା ସହୃଦୟତାକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି। ସହାୟତା ପାଇଥିବା ସାମ୍ବାଦିକ ଆଦିତ୍ୟ ପଣ୍ଡା ମଧ୍ୟ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।