ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ଅନ୍ତର୍ଗତ ଶ୍ରୀନିବାସପୁର ଗ୍ରାମଦେଇ ଯାଇଥିବା ରାଞ୍ଚି-ବିଜୟାୱାଡା ରାସ୍ତାରେ ଆଜି ସକାଳେ ଏକ କୁକୁଡ଼ା ବୋଝେଇ ପିକଅପ୍ ଭ୍ୟାନ ଓଲଟି ପଡିଥିବା ଜଣାପଡ଼ିଛି। ଫଳରେ ଗାଡ଼ିର ଚାଳକ ଗୁରୁତର ଆହତ ହୋଇଛନ୍ତି। ତେବେ ଏହି ଦୁର୍ଘଟଣା ଗ୍ରସ୍ତ ଗାଡିରୁ କେତେକ ଦୁର୍ବୃତ୍ତ କୁକୁଡା ଚୋରି କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ ଅନୁଗୁଳରୁ ସୁନ୍ଦରଗଡ଼ ଅଭିମୁଖେ ଯାଉଥିବା ଏକ କୁକୁଡ଼ା ବୋଝେଇ ପିକଅପ୍ ଭ୍ୟାନ (ଓଡି-୧୪ଏ-୫୧୭୫) ଶ୍ରୀନିବାସପୁର ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାସ୍ତାରୁ ଖସି ବିଲ ମଧ୍ୟରେ ଓଲଟି ପଡିଥିଲା। ସୂଚନାପାଇ ଦେବଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଜବତ କରିଛି। ଏଥିସହ ଗୁରୁତର ଚାଳକକୁ ଚିକିତ୍ସା ନିମନ୍ତେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ପରେ ଗାଡ଼ିରୁ କୁକୁଡ଼ା ଚୋରି ହୋଇଥିବା ନେଇ ଅଭିଯୋଗ ହେବାପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।