୪୦ ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଛି ଛବିରାଣୀ

ଭୁବନେଶ୍ୱର, ଏନ୍ଏନ୍ଏସ୍ : ଗୁରୁବାର ପ୍ରେକ୍ଷାଳୟକୁ ଆସୁଛି ବହୁ ଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ‘ଛବିରାଣୀ : ଦ ଅନଟୋଲ୍ଡ ଷ୍ଟୋରୀ’। ସାରା ଓଡ଼ିଶାର ପ୍ରାୟ ୪୦ଟି ହଲରେ ମୁକ୍ତିଲାଭ କରୁଛି ଏହି ଫିଲ୍ମ। ୩୯ ବର୍ଷ ତଳେ ଘଟିଥିବା ଏକ ବୀଭତ୍ସ ହତ୍ୟାକାଣ୍ଡର କାହାଣୀକୁ ଆଧାର କରି ପ୍ରସ୍ତୁତ ହୋଇଛି ଏ କଥାଚିତ୍ର।

ଏହାର ପ୍ରଯୋଜନାରେ ଅଛନ୍ତି ବୁଦ୍ଧଦେବ ସାହୁ, ମନୋରମା ମହାପାତ୍ର ଓ ବିରେନ୍ ମହାପାତ୍ର। ସହ-ପ୍ରଯୋଜନାରେ ଅଛନ୍ତି ବିଜୟ ବାରିକ। ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ। ଫିଲ୍ମର କାହାଣୀ, ଚିତ୍ରନାଟ୍ୟ ରଚନା ସାଙ୍ଗକୁ ନୃତ୍ୟ ଓ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ବବି ଇସଲାମ। ସଂଳାପ ଲେଖିଛନ୍ତି ଡଃ ଶଙ୍କର ତ୍ରିପାଠୀ, ହୃଦାନନ୍ଦ ସାହୁ। ଅଶୀ ଦଶକର ବହୁ ଚର୍ଚ୍ଚିତ ଲୋମଟାଙ୍କୁରା ଛବିରାଣୀ ହତ୍ୟାକାଣ୍ଡର କାହାଣୀ ସ୍ଥାନିତ ହୋଇଛି ଏ ଫିଲ୍ମରେ।

ଘଟଣାଟି ପ୍ରାୟ ୩୯ ବର୍ଷର ହୋଇଥିଲେ ହେଁ ଆଜି ପର୍ଯ୍ୟନ୍ତ ଅନେକଙ୍କ ଭିତରେ ତାଜା ହୋଇ ରହିଛି। ଏଭଳି ଏକ ସ୍ପର୍ଶକାତର ସମ୍ବେଦନଶୀଳ ଘଟଣାକୁ ନେଇ ପ୍ରସ୍ତୁତ ହୋଇଥିବାରୁ ‘ଛବିରାଣୀ : ଦ ଅନଟୋଲ୍ଡ ଷ୍ଟୋରୀ’କୁ ନେଇ ସିନେଶିଳ୍ପରେ ଢେର୍ ଚର୍ଚ୍ଚା ହୋଇଛି। କାହାଣୀ, ପୁଣି ସେଥିରେ କଳାକାରଙ୍କ ଅଭିନୟ ଦେଖିବାକୁ ସିନେପ୍ରେମୀଙ୍କ ଭିତରେ ଉତ୍କଣ୍ଠା ଲାଗି ରହିଛି। ଫିଲ୍ମର ମୁଖ୍ୟ ଚରିତ୍ର ଛବିରାଣୀ ଭାବେ ଦେଖିବାକୁ ମିଳିବେ ବଙ୍ଗୀୟ ଅଭିନେତ୍ରୀ ଚନ୍ଦ୍ରାଣୀ ଦାସ।

ଛବିରାଣୀଙ୍କ ସ୍ୱାମୀ ତଥା ସାମ୍ବାଦିକ ଚରିତ୍ର ନିର୍ବାହ କରୁଛନ୍ତି ମଞ୍ଚ ଅଭିନେତା ଅମନ ପରାଶର। ସେହିପରି ଖଳନାୟକ ଭାବେ ଅଭିନୟ କରିଛନ୍ତି ମିହିର ଦାସ, ସନ୍ଦୀପ ପାଣି, ବାବୁ ପ୍ରଧାନ, ମିଟୁ ମିଥୁନ, ମୁନା ମୋଦି, ଆଶିଷ ଓ ଗଦା ବାରିକ। ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏଥିରେ ଦେଖିବାକୁ ମିଳିବେ ସଚ୍ଚୋଟ ପୁଲିସ ଅଫିସର ଭୂମିକାରେ। ସିଦ୍ଧାନ୍ତଙ୍କ ଅନସ୍କ୍ରିନ୍ ୱାଇଫ୍ ଭାବେ ଅଭିନୟ କରିଛନ୍ତି ଅନୁ ଚୌଧୁରୀ। ବାସ୍ତବିକତା ସହ କିଛି କାଳ୍ପନିକତା ମଧ୍ୟ ଯୋଡ଼ାଯାଇଛି ଫିଲ୍ମରେ।