ପିଏଚଡି ପାଣିରେ କେମିକାଲ ଗନ୍ଧ, ପାଣି ଯୋଗାଣ ବନ୍ଦ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ସହରାଞ୍ଚଳରେ ଯୋଗାଣ ହେଉଥିବା ପିଏଚଡି ପାଣିରେ କେମିକାଲ ଗନ୍ଧ ବାହାରିବା ପରେ ଗତକାଲି ପୂର୍ବାହ୍ନରୁ ଜଳ ଯୋଗାଣ ବନ୍ଦ କରାଯାଇଛି। ତେବେ କେଉଁ କାରଣରୁ ପାଣିରୁ ଗନ୍ଧ ବାହାରୁଛି ତାହା ଜନସ୍ୱାସ୍ଥ୍ୟ ବିଭାଗ ଅନୁସନ୍ଧାନ କରିବା ପରେ ଦୁଲଲଗା ଛକ ଓ ତାଲପଟିଆ ବାଇପାସ ମଧ୍ୟରେ ଥିବା ଏକ କଲଭର୍ଟ ପାର୍ଶ୍ୱରେ କିଛି ରାସାୟନିକ ପଦାର୍ଥ ପଡିଥିବା ଠାବ କରିଛି।

ଏହି ଦୁର୍ଗନ୍ଧ ଯୁକ୍ତ ରାସାୟନିକ ପଦାର୍ଥ କଲଭର୍ଟଠାରେ ନାଳରେ ମିଶି ଉପର ମୁଣ୍ଡରେ ଇବ ନଦୀରେ ପ୍ରବେଶ କରୁଛି। ଫଳରେ ନଦୀରେ ମାଛ ଓ ଅନ୍ୟ ଜଳଚର ମରିବା ସାଙ୍ଗକୁ ପାଣିରୁ କେମିକାଲ ଗନ୍ଧ ବାହାରୁଛି। ତେବେ ଆଜି ଏହି ରାସାୟାନିକ ପଦର୍ଥ ପଡିଥିବା ସ୍ଥାନକୁ ଜନ ସ୍ୱାସ୍ଥ୍ୟ ବିଭାଗର ଏସଡିଓ, ଯନ୍ତ୍ରୀ ଓ ଅନ୍ୟ ବିଭାଗୀୟ କର୍ମଚାରୀ ପହଞ୍ଚି ବ୍ଲିଚିଂ ପାଉଡର ସିଞ୍ଚନ କରି ଏହାର ପ୍ରଭାବକୁ ହ୍ରାସ କରିବାକୁ ଚେଷ୍ଟା ଚଳାଇଛନ୍ତି। ପାଣି ଗନ୍ଧ ଓ ରାସାୟାନିକ ପଦାର୍ଥ ପ୍ରଦୁର୍ଭାବ ଶେଷ ହୋଇ ଗଲେ ତୁରନ୍ତ ଝାରସୁଗୁଡ଼ା ସହରରେ ପାଣି ଯୋଗାଇ ଦିଆଯିବ ବୋଲି ପିଏଚଡି ବିଭାଗର ପରିଚାଳକ ଇଞ୍ଜିନିଅର କେ ପଟେଲ କହିଛନ୍ତି। ତେବେ ଏହି ସ୍ଥାନରେ କିଏ ଏବଂ କାହିଁକି ଏହି କେମିକାଲ ପକାଇଛି ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ।