ଆସନ୍ତାକାଲି ପରୀ ପରିବାରକୁ ଭେଟିବେ ଚେଲାକୁମାର

ଭୁବନେଶ୍ୱର ,  ଆଜି ଓଡିଶା କଂଗ୍ରେସ ପ୍ରଭାରୀ ସାଂସଦ ଡ. ଏ. ଚେଲାକୁମାର ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଂଚିଛନ୍ତି । ପ୍ରଥମ ଦିନରେ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନ ଠାରେ ଅନୁଷ୍ଠିତ କଂଗ୍ରେସ ବିଧାୟକ ଦଳ ବୈଠକରେ ଡ. ଚେଲାକୁମାର ଉପସ୍ଥିତ ରହି ବିଧାୟକମାନଙ୍କ ସହ ବର୍ତମାନର ରାଜନୈତିକ ପରିସ୍ଥିତି ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ବର୍ତମାନ ବିଜେଡି ବିଜେପି ସଲାସୁତୁରା ହୋଇ କାର୍ଯ୍ୟ କରିବା ଫଳରେ ରାଜ୍ୟରେ ଜନସାଧାରଣ ତଥା ମହିଳାମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି । ଆଗାମୀ ଦିନରେ କଂଗ୍ରେସକୁ ଲୋକାଭିମୁଖୀ କରିବା ଓ ତଳସ୍ତରରୁ ସଂଗଠନକୁ ସୁଦୃଢ଼ କରିବା ପାଇଁ ରଣନୀତି ସଂପର୍କରେ ପରାମର୍ଶ ଦେଇଥିଲେ । ଏହି ବୈଠକରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଓ ଏଆଇସିସି ସଂପାଦକ ଜି. ରୁଦ୍ରରାଜୁ ଉପସ୍ଥିତ ରହି ସଂଗଠନକୁ ସୁଦୃଢ଼ କରିବା ପାଇଁ ଉପାଦେୟ ପରାମର୍ଶ ଦେଇଥିଲେ । ଏହି ବୈଠକରେ ବିଧାୟକ ସୁରେଶ କୁମାର ରାଉତରାୟ, ତାରପ୍ରସାଦ ବାହିନୀ ପତି, ସନ୍ତୋଷ ସିଂ ସାଲୁଜା, ମହମ୍ମଦ ମୋକିମ, ରମେଶ ଜେନା ପ୍ରମୁଖ ସୁଚିନ୍ତିତ ମତାମତ ଦେଇଥିଲେ ।
ଅପରାହ୍ନରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବରିଷ୍ଠ କଂଗ୍ରେସ ନେତୃବୃନ୍ଦମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କଂଗ୍ରେସ ପ୍ରଭାରୀ ଡ. ଚେଲାକୁମାର ଉପସ୍ଥିତ ରହି କହିଲେ ଯେ କଂଗ୍ରେସ ସଂଗଠନକୁ ସୁଦୃଢ଼ କରି ଲୋକାଭିମୁଖି କରିପାରିଲେ ଆମ୍ଭେମାନେ ପୂର୍ବ ଗୌରବକୁ ଫେରାଇ ଆଣିପାରିବା । ଆଗାମୀ ପୌର ଦିନରେ ସମସ୍ତ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ଏକତ୍ରିତ ହୋଇ ବିଜେଡି ବିଜେପି ବିରୁଦ୍ଧରେ ସଂଗ୍ରାମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ପିସିସି ସଭାପତି ଶ୍ରୀ ପଟ୍ଟନାୟକ ସମସ୍ତଙ୍କର ସହଯୋଗ କାମନା କରି କହିଲେ ଯେ ଓଡିଶାରେ ବିଜେଡି ଓ ବିଜେପି ଉପରେ ଜନସାଧାରଣ ଆସ୍ଥା ହରାଇଲେଣି । ଏଭଳି ସମୟରେ ଆମ୍ଭେମାନେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ । ବୈଠକରେ ଜି. ରୁଦ୍ର ରାଜୁ, ଏଆଇସିସି ଇନ୍‌ଚାର୍ଜ ଭକ୍ତ ଦାସ, ବିଶ୍ୱରଞ୍ଜନ ମହାନ୍ତି, ବିଧାୟକ ଦଳ ନେତା ନରସିଂହ ମିଶ୍ର, କାର୍ଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ୱାଳ, ପ୍ରଦୀପ ମାଝୀଙ୍କ ସମେତ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଂଟିଆ, ଅନନ୍ତ ପ୍ରସାଦ ସେଠୀ, ଜଗନ୍ନାଥ ପଟ୍ଟନାୟକ, ରାଧାକାନ୍ତ ଦିଗଲ, ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋ, ବିଜୟଲକ୍ଷ୍ମୀ ସାହୁ, ବିପିନ ଦାସ ଓ ବହୁ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ଆସନ୍ତା କାଲି ଡ. ଚେଲାକୁମାର, ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ସହ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ନୟାଗଡ ଜିଲ୍ଲା ଗସ୍ତ କରି ମୃତ ପରୀର ପରିବାରବର୍ଗଙ୍କୁ ଭେଟିବେ ବୋଲି ପିସିସି କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ।