ଛତିଶଗଡ଼ ପୁଲିସର ଓଡ଼ିଶା ଚାଷୀ ଉପରେ ଦାଦାଗିରି ଘଟଣା, ଧାନ ଗାଡ଼ି ଫେରସ୍ତ କଲା

ଝାରସୁଗୁଡା,ଏନ୍ଏନ୍ଏସ୍: ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ କନକତୋରା ଗ୍ରାମକୁ ଗତ ଶନିବାର ରାତିରେ ଛତିଶଗଡ଼ ପୁଲିସ ପଶି ଭାଗଚାଷୀ ମନୋଜ ମେହେରଙ୍କ ବିଲରୁ ଜବତ କରିଥିବା ୩୮ ବସ୍ତା ଧାନ ଓ ଟାଟା ଏସି(ସିଜି-୧୩ଏଲ୍-୪୩୪୬) ଗାଡିକୁ ବୁଧବାର ରାତି ପ୍ରାୟ ୧୦.୩୦ରେ ମନୋଜଙ୍କୁ ହସ୍ତାନ୍ତର କରିଛି। ସୂଚନା ଅନୁସାରେ ଛତିଶଗଡ଼ ପୁଲିସ ଜବତ କରିଥିବା ଧାନ ଓ ଗାଡ଼ିକୁ ଫେରସ୍ତ ଦାବିରେ ସୀମାନ୍ତ କନକତୋରା ବାସୀ ବୁଧବାର ସକାଳୁ ଓଡ଼ିଶା-ଛତିଶଗଡ଼କୁ ସଂଯୋଗ କରୁଥିବା ଏକତାଲ ରାସ୍ତାକୁ ଅବରୋଧ କରିଥିଲେ। ଘଟଣାସ୍ଥଳକୁ ଅତିରିକ୍ତ ଜିଲ୍ଲାପାଳ ଶିବଶଙ୍କର ଟପ୍ପୋ, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକାରୀ ନୃପଚରଣ ଡନସନା, ଅତିରିକ୍ତ ତହସିଲଦାର ପ୍ରସନ୍ନ କୁମାର ପଟେଲ, ଏସଡିପିଓ ଦୀଲ୍ଲିପ କୁମାର ଦାସ, ରେଙ୍ଗାଲି ଆଇଆଇସି ଡାନିଏଲ କେର୍କେଟା, ଏଏସ୍ଆଇ ବିଜୁ ପଟ୍ଟନାୟକ ପ୍ରମୁଖ ସେଠାକୁ ଯାଇ ଲୋକଙ୍କୁ ବୁଝାସୁଝା କରିବା ସହ ଜିଲ୍ଲାପାଳ ସରୋଜ କୁମାର ସାମଲ ଓ ଆରକ୍ଷୀ ଅଧିକାରୀ ଅଶ୍ୱନୀ କୁମାର ମହାନ୍ତି ରାୟଗଡ଼ ଜିଲ୍ଲାପାଳ ଓ ଏସପିଙ୍କ ସହ ଯୋଗାଯୋଗ କରି ସୀମାନ୍ତ କନକତୋରାବାସୀଙ୍କ ରାସ୍ତାରୋକ ବିଷୟରେ ଅବଗତ କରାଇଥିଲେ। ଏହାପରେ ଛତିଗଡ଼ ଏକତାଲ ପଞ୍ଚାୟତର ସରପଞ୍ଚ ଚନ୍ଦ୍ରସେଖର ସିଦାର ଭାଗ ଚାଷୀ ମନୋଜ ମେହେରଙ୍କଠାରୁ ଘଟମାର ସବିଶେଷ ଅଣ୍ଡରଟେକିଙ୍ଗ ନେଇ ରେଙ୍ଗାଲି ପୁଲସ ସହ ରାୟଗଡ କୋର୍ଟକୁ ଯାଇ ଧାନସହ ଗାଡି ରିଲିଜ କରିବା ପାଇଁ ଏକ ମାମଲା ଦାଖଲ କରିଥିଲେ। ରାୟଗଡ କୋର୍ଟ ଏହି ମାମଲାର ଶୁଣାଣି କରି ତୁରନ୍ତ ମନୋଜ ମେହେରଙ୍କ ଧାନ ଗାଡି ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା।