ଶସ୍ୟବୀମା ରାଶି ପ୍ରଦାନ ଦାବିରେ ଚାଷୀଙ୍କ ଆମରଣ ଅନଶନ

ବଲାଙ୍ଗିର,ଏନଏନଏସ : ଚିର ମରୁଡ଼ି ପ୍ରପିଡ଼ିତ ବଲାଙ୍ଗୀର ଜିଲ୍ଲାରେ କ୍ରମାଗତ ଭାବେ ଦେଖା ଦେଉଥିବା ମରୁଡି ପରିସ୍ଥିତ ଯୋଗୁଁ ଚାଷୀମାନଙ୍କ ଆର୍ଥିକ ମାନଦଣ୍ଡ ସମ୍ପୁର୍ଣ୍ଣ ଭାବେ ଦୋହଲିବାରେ ଲାଗିଛି । ମରୁଡ଼ି ସାଙ୍ଗକୁ ରୋଗପୋକ ଦାଉ ଚାଷୀଙ୍କ ସମସ୍ୟାକୁ ଆହୁରି ଦ୍ୱିଗୁଣିତ କରୁଛି । ମରୁଡ଼ି ଓ ରୋଗପୋକ ଦାଉରୁ ରକ୍ଷା ପାଇବା ପାଇଁ ଚାଷୀମାନେ ଫସଲ ବୀମା କରିଥା’ନ୍ତି । କିନ୍ତୁ ବର୍ଷବର୍ଷ ଧରି ଚାଷୀମାନେ ଫସଲ ବୀମା ପାଇବାରେ ବଂଚିତ ହେଉଛନ୍ତି । ବୀମା ରାଶି ପାଇବା ପାଇଁ ଚାଷୀମାନେ ଆନ୍ଦୋଳନ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରୁନାହିଁ ।

ଫଳରେ ବୀମାରାଶ ପାଇବା ଦାବିରେ ଚାଷୀମାନେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆମରଣ ଅନଶନ ଭଳି ଚରମ ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହୋଇଛନ୍ତି । ବର୍ତମାନ ୧୧ ଜଣ ଚାଷୀ ଆମରଣ ଅନଶନରେ ବସିଥିବା ବେଳେ ଏ ପର୍ଯ୍ୟନ୍ତ ସେମାନଙ୍କ ସହିତ କଥାହେବା ପାଇଁ କୌଣସି ପ୍ରଶାସନିକ ଅଧିକାରୀ ଆସିନଥିବା ଚାଷୀମାନେ କହିଛନ୍ତି । ଆମରଣ ଅନଶନରେ ବସିଥିବା ଚାଷୀ ପାର୍ଥ ମହାକୁର , କବିରାଣ ରଣା , ବିକଳ ପ୍ରଧାନ , ଗଣେଶ୍ୱର ପୁଟା , ଫକିର ଭୁକ୍ତା , ବଲିଷ୍ଟ ମହାନନ୍ଦ , ପ୍ରହଲ୍ଲାଦ ବିଶ୍ୱାଲ , ଉପେନ୍ଦ୍ର ଧରୁଆ ,ବିମଳ ରଣା , ସହଦେବ ନାଗ ଓ କଂସାବୀର ବାଗ ପ୍ରମୁଖ କହିଛନ୍ତି , ଦେଓଗାଁ ବ୍ଲକ ଅନ୍ତର୍ଗତ କୁଲତାପଡ଼ା ଓ ଅର୍ଜୁନପୁର ପଂଚାୟତର ପ୍ରାୟ ୧ ହଜାର ଚାଷୀ ୨୦୧୭ ଓ ୨୦୧୮ କୃଷି ବର୍ଷରେ ଫସଲ ବୀମା କରିଥିଲେ ।

କିନ୍ତୁ ଚାଷୀମାନଙ୍କ ଭିତରୁ ଜଣଙ୍କୁ ହେଲେ ବୀମା ରାଶି ପ୍ରଦାନ କରାଯାଇନାହିଁ । ବୀମାରାଶି ପ୍ରଦାନ ଦାବିରେ ଚାଷୀମାନେ ବିଭିନ୍ନ ସମୟରେ ଆନ୍ଦୋଳନ କରି ଆସୁଛନ୍ତି । ଏଭଳି କି ଗତ ୨୭ ସେପ୍ଟେମ୍ବର ୨୦୧୯ରେ ବଲାଙ୍ଗିର-ଟିଟିଲାଗଡ ରାସ୍ତାର ଦେଓଗାଁ ଠାରେ ଚାଷୀମାନେ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ତେବେ ଆନ୍ଦୋଳନସ୍ଥଳରେ ଜିଲ୍ଲାପାଳ ପହଂଚି ଚାଷୀମାନଙ୍କ ସହ ଆଲୋଚନା କରିଥିଲେ ଓ ୩୦ ଡିସେମ୍ବର ୨୦୧୯ ସୁଦ୍ଧା ସମସ୍ତ ଚାଷୀଙ୍କୁ ଫସଲ ବୀମା ରାଶି ପ୍ରଦାନ କରାଯିବ ବୋଲି ଭରପୁର ପ୍ରତିଶୃତି ଦେଇଥିଲେ । ଏହା ସହିତ ଗତ ୪ ତାରିଖରେ ଜିଲ୍ଲାପାଳ ପତ୍ରସଙ୍ଖ୍ୟା ୦୪୧୧୧୯୨୨୯ ଜରିଆରେ ଫସଲ ବୀମା ରାଶି ପ୍ରଦାନ କରିବା ପାଇଁ ସିଡିଏଓଙ୍କୁ ନିର୍ଦ୍ଧେଶ ଦେଇଛନ୍ତି । ତଥାପି ମଧ୍ୟ ଆଜି ପର୍ଯ୍ୟନ୍ତ ଫସଲ ବୀମା ରାଶି ପ୍ରଦାନ ପାଇଁ କୌଣସି ପ୍ରକାର ପଦକ୍ଷେପ ନିଆଯାଇ ନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ୨୦୧୭ ଓ ୨୦୧୮ ବର୍ଷର ବୀମାରାଶି ପ୍ରଦାନ କରିବା ଓ ସମସ୍ତ ଚାଷୀଙ୍କୁ ଇନପୁଟ ସବସିଡି ପ୍ରଦାନ କରାଯାଉ ବୋଲି ଚାଷୀମାନେ ଦାବି କରିଛନ୍ତି । ଦାବି ପୂରଣ ନହେଲା ପର୍ଯ୍ୟନ୍ତ ଏହି ଆମରଣ ଅନଶନ ଜାରି ରହିବ ବୋଲି ସେମାନେ କହିଛନ୍ତି ।