ନୂଆଦିଲ୍ଲୀ,ଏଜେନ୍ସି: ବହୁପ୍ରତିକ୍ଷୀତ ଚାରିଧାମ ଯାତ୍ରା ଆଜିଠାରୁ ଆରମ୍ଭ ହୋଇଯାଇଛି। ଉତ୍ତରାଖଣ୍ଡର ପ୍ରସିଦ୍ଧ ଧର୍ମସ୍ଥଳୀ ପାଇଁ ଯିବାକୁ ହେଲେ ଶ୍ରଦ୍ଧାଳୁଙ୍କୁ ୭୨ ଘଣ୍ଟା ଭିତରର କୋଭିଡ ରିପୋର୍ଟ ସାଥିରେ ଆଣିବାକୁ ପରାମର୍ଶ ଦିଆଯାଇଛି। ଏନେଇ ଶୁକ୍ରବାର ରାଜ୍ୟ ସରକାର ଗାଇଡଲାଇନ ଜାରି କରିଛନ୍ତି। ଉତ୍ତରାଖଣ୍ଡ ସରକାର କହିଛନ୍ତି ଯେ, ଚାରିଧାମ କରିବାକୁ ଆଗ୍ରହ ରଖିଥିବା ଶ୍ରଦ୍ଧାଳୁମାନେ ସେମାନଙ୍କର ନାମ ପଂଜିକରଣ କରିବା ଏବଂ ଇ-ପାସ ବାଧ୍ୟତାମୂଳକ ଭାବେ ପାଖରେ ରଖିବେ। ସେହିଭଳି ୭୨ ଘଣ୍ଟା ମଧ୍ୟରେ କୋଭିଡ ନେଗେଟିଭ ରିପୋର୍ଟ ଅଥବା କରୋନା ଟିକାର ୨ଟି ଡୋଜ ନେଇଥିବାର ରିପୋର୍ଟ ଦେଖାଇବେ।
ବିଶେଷ ଭାବରେ କେରଳ, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶର ଶ୍ରଦ୍ଧାଳୁଙ୍କୁ କୋଭିଡ-୧୯ର ନେଗେଟିଭ ରିପୋର୍ଟ ଦେଖାଇବାକୁ ହେବ। ଏହା ୭୨ ଘଣ୍ଟା ଭିତର ହୋଇଥିବା ଦରକାର। ଅନ୍ୟପଟରେ ଶ୍ରଦ୍ଧାଳୁମାନେ ପବିତ୍ର କୁଣ୍ଡରେ ବୁଡ଼ ପକାଇପାରିବେ ନାହିଁ। ଯାତ୍ରୀମାନଙ୍କ ରାସ୍ତାରେ କଡ଼ାକଡ଼ି ଯାଞ୍ଚ ହେବ।
ଚାରିଧାମ ମଧ୍ୟରୁ କେଦରାନାଥକୁ ପ୍ରତିଦିନ ୮୦୦ ଜଣ, ବଦ୍ରୀନାଥକୁ ୧୨୦୦, ଗଙ୍ଗୋତ୍ରୀକୁ ୬୦୦ ଓ ଯମୁନୋତ୍ରକୁ ୪୦୦ ଯାତ୍ରୀ ଦର୍ଶନ ଅନୁମତି ମିଳିବ। ଏଥିସହିତ ଯାତ୍ରୀଙ୍କୁ ମନ୍ଦିର ଆଖପାଖରେ ଥିବା ଝରଣାରେ ସ୍ନାନ କରିବାକୁ ଅନୁମତି ଦିଆଯାଇନାହିଁ। ଚାରିଧାମ ଯାତ୍ରା ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ଲୋକଙ୍କ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି କୋର୍ଟ ଯାତ୍ରା ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି।