କୋଭିଡ୍ କଲର ଟ୍ୟୁନ୍: ଆଉ ଅମିତାଭଙ୍କ ସ୍ୱର ଶୁଭିବନି

ନୂଆଦିଲ୍ଲୀ,ଏଜେନ୍ସି: ଗତବର୍ଷ ଦେଶରେ କୋଭିଡ୍ ଭୂତାଣୁ ବ୍ୟାପିବାପରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲା। ତଦନୁଯାୟୀ ବିଭିନ୍ନ ମୋବାଇଲ ସେବା ପ୍ରଦାନକାରୀ କମ୍ପାନୀ ପକ୍ଷରୁ କଲର ଟ୍ୟୁନ୍ ଭାବେ ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ସ୍ୱର ଶୁଣିବାକୁ ମିଳୁଥିଲା। ତେବେ ଶନିବାରଠାରୁ ଦେଶରେ କୋଭିଡ୍ ଟିକାକରଣ ହେବାପରେ ଏଣିକି କଲର ଟ୍ୟୁନରେ ଆଉ ଅମିତାଭଙ୍କ ସ୍ୱର ଶୁଭିବ ନାହିଁ।

ପୂର୍ବରୁ ଅମିତାଭ ଲୋକଙ୍କୁ କୋଭିଡ୍ ସମ୍ପର୍କିତ ସଚେତନ ବାର୍ତ୍ତା ଶୁଣାଉଥିବାବେଳେ ବର୍ତ୍ତମାନ କଲର ଟ୍ୟୁନରେ ଟିକାକରଣ ଓ ଏ ସଂକ୍ରାନ୍ତ ଗୁଜବ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବ। ଏହାର ସଂଳାପ ହେଉଛି ‘ନୟା ସାଲ କୋଭିଡ୍-୧୯କି ଭ୍ୟାକ୍ସିନ୍ କେ ରୂପ ମେଁ ନୟି ଆଶା କି କିରନ୍ ଲେକର ଆୟାହେ’, ‘ଭାରତ ମେଁ ବନି ଭ୍ୟାକ୍ସିନ ସୁରକ୍ଷିତ ଔର୍ ପ୍ରଭାବୀ ହେ। କୋଭିଡ୍ କେ ବିରୁଧ୍ ହମେ ପ୍ରତିରୋଧକ କ୍ଷମତା ଦେତି ହେ’।

ଅର୍ଥାତ୍ ‘ନୂଆବର୍ଷ କୋଭିଡ୍ ରୋଗର ପ୍ରତିଷେଧକ ଭାବେ ଭାରତରେ ବିକଶିତ ଟିକା ନୂତନ ଆଶାର କିରଣ ନେଇ ଆସିଛି’। ‘ଭାରତରେ ପ୍ରସ୍ତୁତ ଭ୍ୟାକ୍ସିନ ସୁରକ୍ଷିତ ଓ ପ୍ରଭାବଶାଳୀ ଅଟେ। ଏହା କୋଭିଡର ମୁକାବିଲା କରିବାକୁ ପ୍ରତିରୋଧକ ଶକ୍ତି ଯୋଗାଇଥାଏ’। ଏଥିରେ ଜଣେ ମହିଳାଙ୍କ ସ୍ୱର ଶୁଣାଯିବ।