ପରିବର୍ତ୍ତନ ହେବ ଅଟୋନମସ୍ କଲେଜ ପାଠ୍ୟ ଖସଡ଼ା

ଭୁବନେଶ୍ୱର,୧ା୯/ଏନ୍ଏନ୍ଏସ୍: ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟରେ ସ୍ୱୟଂଶାସିତ କଲେଜରେ ପାଠ୍ୟ ଖସଡ଼ାରେ ପରିବର୍ତ୍ତନ କରାଯିବ। ଛାତ୍ରଛାତ୍ରୀ କୌଣସି ଗୋଟିଏ ବିଷୟରେ ପଢ଼ିବା ସହ ନିଜ ପସନ୍ଦର ଅନ୍ୟ ବିଭାଗର ପାଠ୍ୟକ୍ରମ ମଧ୍ୟ ପଢ଼ିବାର ସୁଯୋଗ ପାଇପାରିବେ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ଥିବା ୨୮ରୁ ଊଦ୍ଧ୍ୱର୍ ଅଟୋନମସ କଲେଜରେ ଏହି ବ୍ୟବ୍ୟସ୍ଥା ଲାଗୁ ହେବ। ଚଳିତବର୍ଷ ଠାରୁ ରାଜ୍ୟର ସମସ୍ତ ଅଟୋନମସ୍ କଲେଜରେ ସିବିସିଏସ୍ ବ୍ୟବସ୍ଥା ଲାଗୁ କରାଯିବ। କଳା, ବିଜ୍ଞାନ ଓ ବାଣିଜ୍ୟ ବିଷୟରେ ନାମଲେଖାଇଥିବା ଛାତ୍ରଛାତ୍ରୀମାନେ ନିଜ ପାଠ୍ୟକ୍ରମ ସହ ଅନ୍ୟ ବିଷୟର ପାଠ୍ୟକ୍ରମ ପଢ଼ିବାର ସୁବିଧା ପାଇପାରିବେ। ଆସନ୍ତା ଶିକ୍ଷାବର୍ଷରୁ ସମସ୍ତ ଅଟୋନମସ୍ କଲେଜରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗ ଛାତ୍ରଛାତ୍ରୀଙ୍କ ଲାଗି ଏହି ସୁବିଧା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ବ୍ୟବସ୍ଥାରେ ଛାତ୍ରଛାତ୍ରୀ ପ୍ରଥମ ବର୍ଷ ୨ଟି, ୨ୟ ବର୍ଷ ୨ଟି ଏବଂ ଶେଷବର୍ଷ ୨ଟି ସେମିଷ୍ଟରକୁ ମିଶାଇ ୬ଟି ସେମିଷ୍ଟାର ପରୀକ୍ଷା ଦେବେ। ପ୍ରଥମ ବର୍ଷ ୮୦୦ମାର୍କ, ୨ୟ ବର୍ଷ ୮୦୦ମାର୍କ ଏବଂ ତୃତିୟ ବର୍ଷ ଏକ ହଜାର ମାର୍କ ପରୀକ୍ଷା ହେବ। ମୋଟ୍ ୨୬୦୦ ମାର୍କରୁ ଉଭୟ ମାର୍କ ଏବଂ ସିଜିପିଏ ବ୍ୟବସ୍ଥା ରହିବ। ଯେଉଁ କଲେଜଗୁଡ଼ିକରେ ଅଧ୍ୟାପକ ପଦବୀ ଖାଲି ରହିଛି ସଂପୃକ୍ତ ପଦବୀ ପୂରଣ କରାଯିବ। ଅପରପକ୍ଷେ ଡିଗ୍ରୀ ପରୀକ୍ଷା ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ କରାଯିବ। ପ୍ରି ଡିଗ୍ରୀ ପରୀକ୍ଷାରେ ୭୦ପ୍ରତିଶତ ସଂକ୍ଷିପ୍ତ ପ୍ରଶ୍ନପତ୍ର ଏବଂ ୩୦ପ୍ରତିଶତ ଦୀର୍ଘ ପ୍ରଶ୍ନପତ୍ର କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଶେଷ ବର୍ଷ ପରୀକ୍ଷାରେ ଉଭୟ ସଂକ୍ଷୀପ୍ତ ଏବଂ ଦୀର୍ଘ ପ୍ରଶ୍ନ ଉତ୍ତର ୫୦ପ୍ରତିଶତ ଲେଖାଏଁ ପଡ଼ିବ। ଏହାବ୍ୟତୀତ ସିଜିପିଏ ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ କରାଯିବ। ବିଶେଷକରି ସରକାର ପ୍ରସ୍ତୁତ କରିଥିବା ଏକାଡେମିକ କ୍ୟାଲେଣ୍ଡରକୁ କଡ଼ାକଡ଼ି ଭାବେ ପାଳନ କରାଯିବା ଉପରେ ଗୁରୁତ୍ୱ ଦିଆଯିବ। ପ୍ରତି କଲେଜରେ ଜାନୁଆରୀ ସୁଦ୍ଧା କୋର୍ସ ଶେଷ କରି ଫେବୃଆରୀ ଶେଷ ସୁଦ୍ଧା ସବୁ ବିଷୟର ରିଭିଜନ କରିବାକୁ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।