ପାଠ୍ୟଖସଡ଼ାରେ କାଣ୍ଟଛାଟ ହେବ: ପୋଖରିୟାଲ

ନୂଆଦିଲ୍ଲୀ: କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କ ଚଳିତ ବର୍ଷ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଠ୍ୟଖସଡ଼ାରେ କାଣ୍ଟଛାଟ କରିବାର ଯୋଜନା ପ୍ରସ୍ତୁତ କରିଛନ୍ତି। ବର୍ତ୍ତମାନର ପରିସ୍ଥିତି ଏବଂ ଶିକ୍ଷକ ଓ ଅଭିଭାବକଙ୍କଠାରୁ ମିଳିଥିବା ଅନୁରୋଧକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି। ଏଥିସହିତ ପାଠ୍ୟଖସଡ଼ା ସମ୍ବନ୍ଧରେ ଟ୍ୱିଟର ଯୋଗେ ମତାମତ ରଖିବା ପାଇଁ ସେ ଶିକ୍ଷାବିତ ଓ ଶିକ୍ଷକଙ୍କୁ ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ, ପୋଖରିୟାଲ ଶିକ୍ଷା ସଚିବ ଅନିତା କରୱାଲ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରଣାଳୟ ଓ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ସହ ଏକ ବୈଠକ କରିବା ପରେ ଟ୍ୱିଟ କରି ଏସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ। ଉକ୍ତ ବୈଠକରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଓ ଅନଲାଇନ ଶିକ୍ଷା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା।