କରୋନା ମୁକାବିଲା ପାଇଁ କେନ୍ଦ୍ର ପକ୍ଷରୁ ୧୫ ହଜାର କୋଟିର ପ୍ୟାକେଜ ଘୋଷଣା

ନୂଆଦିଲ୍ଲୀ,ଏଜେନ୍ସି: କରୋନା ମହାମାରୀର ମୁକାବିଲା ପାଇଁ କେନ୍ଦ୍ର ସରକାର ୧୫ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୁଧବାର ଏହି ଅର୍ଥକୁ ଅନୁମୋଦନ କରାଯାଇଛି। ‘ଇଣ୍ଡିଆ କୋଭିଡ-୧୯ ଏମର୍ଜେନ୍ସି ରେସପନ୍ସ ଆଣ୍ଡ ହେଲଥ ସିଷ୍ଟମ ପ୍ରିପାର୍ଡନେସ ପ୍ୟାକେଜ’ ନାମରେ ଅନୁମୋଦନ ହୋଇଥିବା ଏହି ଅର୍ଥ ୩ଟି ପର୍ୟ୍ୟାୟରେ ଖର୍ଚ୍ଚ ହେବ। ବର୍ତ୍ତମାନର କରୋନା ସ୍ଥିତିକୁ ମୁକାବିଲା ପାଇଁ ପ୍ରଥମ ପର୍ଯ୍ୟାୟରେ ୭୭୭୪ କୋଟି ଟଙ୍କା ଖର୍ଚ୍ଚ ହେବ। ଅବଶିଷ୍ଟ ଅର୍ଥ ୧ରୁ ୪ବର୍ଷ ମଧ୍ୟରେ ଖର୍ଚ୍ଚ ହେବ ବୋଲି ସରକାର କହିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଏହିସବୁ ଅର୍ଥ ଖର୍ଚ୍ଚ କରାଯିବ। ଏପରି ଅର୍ଥର ବ୍ୟବସ୍ଥା କରାଯିବା ସମ୍ପର୍କରେ ସୂଚନା ଦେଇ ସରକାର କହିଛନ୍ତି ଯେ କରୋନା ମହାମାରୀ ପାଇଁ ଦେଖାଯାଇଥିବା ଜରୁରୀ ସ୍ବାସ୍ଥ୍ୟ ସମସ୍ୟାର ମୁକାବିଲା କରିବା। ଏହା ସହିତ ଦେଶରେ କରୋନା ମହାମାରୀକୁ ନିୟନ୍ତ୍ରଣ କରିବା ଦିଗରେ ଏହି ଅର୍ଥ ଖର୍ଚ୍ଚ ହେବ।

ଏହି ଅର୍ଥରେ ଆବଶ୍ୟକ ଡାକ୍ତରୀ ଯନ୍ତ୍ରାଂଶ, ଔଷଧ କ୍ରୟ କରାଯିବ। ଏହା ସହିତ ଜାତୀୟ ଓ ରାଜ୍ୟ ସ୍ତରରେ କରୋନା ପାଇଁ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ କରାଯିବ। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନ୍ୟାନ୍ୟ ମନ୍ତ୍ରଣାଳୟର ସହଯୋଗରେ ଅନେକଗୁଡିଏ କାର୍ଯ୍ୟକ୍ରମ ଆରମ୍ଭ କରିଛି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରକୁ କରୋନା ଡାକ୍ତରଖାନାର ଭିତ୍ତିଭୂମି ବିକାଶ ଲାଗି ୩୦୦୦କୋଟି ଟଙ୍କା ପ୍ରଦାନ କରାଯିବ। କରୋନା ପାଇଁ ସବିଶେଷ ନିୟମାବଳୀ ଜାରି କରାଯାଇଛି। କ୍ବାରେନଟାଇନ, ଆଇସୋଲେସନ, ଟେଷ୍ଟିଙ୍ଗ, ଟ୍ରିଟମେଣ୍ଟ, କଣ୍ଟେନମେଣ୍ଟ, ବିଶୋଧନ, ସାମାଜିକ ଦୂରତ୍ୱ ଆଦି ପାଳନ କରାଯାଉଥିବା ବୈଠକରେ ସୂଚନା ଦିଆଯାଇଥିଲା।