ଭାରତ ବନ୍ଦ: ପଶ୍ଚିମବଙ୍ଗରେ ରାଜରାସ୍ତାକୁ ଓହ୍ଲାଇଲେ ବାମଦଳ, ହରିୟାଣାରେ ୩୦୦୦ ବସ୍ ଠପ୍‌

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ସରକାରଙ୍କ ବିରୋଧରେ ସୋମବାର ଠାରୁ କେନ୍ଦ୍ରୀୟ ବ୍ୟବସାୟୀ ସଂଗଠନ ୨ ଦିନିଆ ଭାରତ ବନ୍ଦ ଡାକରା ଦେଇଛି। ସୋମବାର ପଶ୍ଚିମବଙ୍ଗ, କେରଳ ସମେତ କିଛି ରାଜ୍ୟରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ହାୱଡାରେ କର୍ମଚାରୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ୟୁନିୟନର କହିବା ଅନୁସାରେ ବନ୍ଦ ସରକାରଙ୍କ କର୍ମଚାରୀ, ଚାଷୀ ଓ ସାଧାରଣ ନାଗରିକଙ୍କୁ ପ୍ରଭାବିତ କରୁଥିବା ନୀତି ବିରୋଧରେ ଡକାଯାଇଛି।

କୁହାଯାଉଛି ଯେ, ବନ୍ଦର ପ୍ରଭାବ ବ୍ୟାଙ୍କ, ରେଳ-ସଡ଼କ ପରିବହନ ଓ ବିଦ୍ୟୁତ ସେବା ଉପରେ ପ୍ରଭାବ ପକାଇବ। ସେଣ୍ଟ୍ରାଲ ଟ୍ରେଡ ୟୁନିୟନ ଏକ ବୟାନ ଜାରି କରିଛି। ଏଥିରେ କୁହାଯାଇଛି ଯେ, ସଂଘ ନିକଟରେ ଏକ ବୈଠକ ଦିଲ୍ଲୀରେ କରିଥିଲା। ଏଥିରେ ଭାରତ ବନ୍ଦ ନେଇ ଚର୍ଚ୍ଚା ହୋଇଥିଲା।

ହରିୟାଣାରେ ଆନ୍ଦୋଳନ ଯୋଗୁଁ ୩୦୦୦ ବସ ଅଟକି ରହିଛି। ରାଜରାସ୍ତାରେ ପରିବହନ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନେ ସଂଘର୍ଷ କରୁଛନ୍ତି। ପୁରୁଣା ଭତ୍ତା ଦେବା, କର୍ମଚାରୀଙ୍କୁ ନିୟମିତ କରିବା ଓ ଘରୋଇକରଣ ବିରୋଧରେ ଅନ୍ଦୋଳନକାରୀମାନେ ସ୍ୱର ଉଠାଇଛନ୍ତି। ହରିୟାଣାରେ ବନ୍ଦକୁ ପୂର୍ଣ୍ଣ ସମର୍ଥନ ମିଳିଛି। ଦିଲ୍ଲୀ ଓ ଅନ୍ୟ ମାର୍ଗରେ ପରିବହନ ପ୍ରଭାବିତ ହୋଇଛି।

ପଶ୍ଚିମବଙ୍ଗର ହାୱଡାରେ ବନ୍ଦର ମିଶ୍ରିତ ପ୍ରଭାବ ଦେଖାଯାଇଛି। ବାମ ଦଳ ବଜାର ଓ ଅନ୍ୟ ସେବା ବନ୍ଦ କରୁଛନ୍ତି। ଏଠାରେ ବାମପନ୍ଥୀଙ୍କ ଶକ୍ତି ମଜବୁତ ରହିଛି। ଦେଶର ଅନ୍ୟ ରାଜ୍ୟରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳୁଛି।