ଭାରତକୁ ୫ ଟ୍ରିଲିୟନ ଅର୍ଥନୀତିରେ ପହଞ୍ଚାଇବା ପାଇଁ ସମସ୍ତଙ୍କ ଯୋଗଦାନ ଆବଶ୍ୟକ: ଧର୍ମେନ୍ଦ୍ର ପ୍ରଧାନ

ତୃତୀୟ ଅନ୍ତର୍ଜାତୀୟ ଜିଙ୍କ୍ ଗାଲଭାନାଇଜିଂ ସମ୍ମିଳନୀରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର, ଏନ୍ଏନ୍ଏସ୍: ଭାରତକୁ ୫ ଟ୍ରିଲିୟନ ଅର୍ଥନୀତିରେ ପହଁଚାଇବା ପାଇଁ ସମସ୍ତେ ମିଳିମିଶି କାମ କରିବାର ଆବଶ୍ୟକତା ରହିଛି ବୋଲି ଗୁରୁବାର ନୂଆଦିଲ୍ଲୀ ଠାରେ ଆୟୋଜିତ ତୃତୀୟ ଅନ୍ତର୍ଜାତୀୟ ଜିଙ୍କ୍ ଗାଲଭାନାଇଜିଂ ସମ୍ମିଳନୀରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

  କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଭାରତକୁ ୫ ଟ୍ରିଲିୟନ ଅର୍ଥନୀତିରେ ପରିଣତ କରିବା କେବଳ ଗୋଟିଏ ସ୍ଲୋଗାନ ନୁହେଁ। ଏହି ଲକ୍ଷ୍ୟକୁ ବାସ୍ତବରେ ପୂରଣ କରିବା ପାଇଁ ସମସ୍ତେ ମିଳିମିଶି କାମ କରିବାର ଆବଶ୍ୟକତା ରହିଛି। ଇସ୍ପାତ ଶିଳ୍ପ ଗୁଡିକୁ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିର ଗୁରୁତ୍ୱକୁ ବୁଝି ଭାରତକୁ ବିଶ୍ୱ ଶକ୍ତି ହେବା ଦିଗରେ ଆଗକୁ ଅଗ୍ରସର କରାଇବା ପାଇଁ ନିଜର ଋଣନୀତି ମଧ୍ୟ ନିର୍ଣ୍ଣୟ କରିବାକୁ ହେବ ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତରେ କଂଚାମାଲର ଉପଲବ୍ଧତା, ମାନବସମ୍ବଳ ଶକ୍ତି, ବିଶାଳ ସମୁଦ୍ର ତଟ ଏବଂ ଏକ ବୃହତ ବଜାର ଆଶୀର୍ବାଦସ୍ୂରୂପ ପ୍ରାପ୍ତ ହୋଇଛି। ଦୁନିଆର ସର୍ବଶ୍ରେଷ୍ଠ ବେଂଚମାର୍କ ପ୍ରତିଷ୍ଠା ପାଇଁ ଭାରତ ପାଖରେ ସବୁ ଯୋଗ୍ୟତା ଅଛି। ଶ୍ରୀ ପ୍ରଧାନ କହିଛନ୍ତି ସାଧାରଣ ଲୋକଙ୍କ ଜୀବନଶୈଳି ସହ ଇସ୍ପାତ୍ ଶିଳ୍ପକୁ ଜଡିତ ହେବାର ଆବଶ୍ୟକତା ରହିଛି ଏବଂ ଏ ଦିଗରେ ଗାଲଭାନାଇଜଡ୍ ଇସ୍ପାତ୍ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେଇପାରିବ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ସରକାର ଇସ୍ପାତ୍ ଶିଳ୍ପ ପାଇଁ ସବୁ ଅନୁକୂଳ ବାତାବରଣ ତିଆରି କରିବା ପାଇଁ ପ୍ରତିବଦ୍ଧ। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସବୁ ଘରକୁ ଜଳ ଯୋଜନା, ଆବଶ୍ୟକତାନୁଯାୟୀ ଉର୍ଜାର ବୃଦ୍ଧି ଓ ୪୦୦ଟି ସହରରେ ପ୍ରାକୃତିକ ଗ୍ୟାସ ବିତରଣର ଯୋଜନା ଏବଂ ଅନ୍ୟାନ୍ୟ ଯୋଜନା ଇସ୍ପାତ୍ ଶିଳ୍ପକୁ ବୃଦ୍ଧି କରିବାରେ ସୁବିଧା ପ୍ରଦାନ କରିବ ଏବଂ ଏହି କ୍ଷେତ୍ରକୁ ମଜବୁତ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଆଜିର ସମ୍ମିଳନୀ ଇସ୍ପାତ ଶିଳ୍ପ ପାଇଁ ଋଣନୀତି ପ୍ରସ୍ତୁତ କରିବାରେ ଏକ ଲମ୍ବା ରାସ୍ତା ତିଆରି କରିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି।