୫ ଲକ୍ଷ ପିପିଇ ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ଝାରସୁଗୁଡା,ଏନ୍ଏନ୍ଏସ୍ : ରାଜ୍ୟକୁ କରୋନା କବଳରୁ ରକ୍ଷା କରିବା ତଥା ସଂକ୍ରମିତ ଲୋକଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ ପାଇଁ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନଙ୍କ ଭିଡିଓ କନଫରେନ୍ସରେ ଆଲୋଚନା କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ । ସେ ଏହି ଆଲୋଚନାରେ ଓଡିଶାରେ କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ପାଇଁ ୫ ଲକ୍ଷ ପିପିଇ (ପର୍ସନାଲ ପ୍ରୋଟେକଟିଭ୍ ଇକ୍ୟୁଭମେଂଟ) ଯୋଗାଇ ଦେବା ପାଇଁ ଦାବି କରିଛନ୍ତି। ଏହାସହ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଚିକିତ୍ସା ସାମଗ୍ରୀ ଏଚସିକ୍ୟୁ ଟେବଲେଟ ( ହାଇଡ୍ରୋସ୍କି କ୍ଲୋରୋକୁଇନ), ଭିଟାମିନ ସି, ଏ-୯୫ ମାସ୍କ, ସାନିଟାଇଜର, ଭେଂଟିଲେଟର, ଟେଷ୍ଟିଙ୍ଗ କିଟ ଆଦି ଶୀଘ୍ର ଯୋଗାଇ ଦିଆଯାଉ ବୋଲି ନବ ଦାସ କହିଛନ୍ତି ।

ସେହିପରି ଓଡିଶାର ସମସ୍ତ ମେଡିକାଲ କଲେଜରେ ସ୍ୱାବ ନମୁନା ପରୀକ୍ଷଣ ପାଇଁ ସୁବିଧା ଯୋଗାଇ ଦେବା ପାଇଁ ଶ୍ରୀ ଦାସ ଅନୁରୋଧ କରିଛନ୍ତି । ଏହାର ଉତରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଏନେଇ ବିଚାର କରାଯାଉଛି ବୋଲି କହିଥିବା ଶ୍ରୀ ଦାସ ସୂଚନା ଦେଇଛନ୍ତି । ସେହିପରି ଓଡିଶା ଅନ୍ୟ ରାଜ୍ୟ ତୁଳନାରେ ଅଧିକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବାରୁ ଓଡିଶାକୁ ଅଧିକ ଆର୍ଥିକ ସହୟତା ଯୋଗାଇ ଦିଆଯାଉ ବୋଲି ଶ୍ରୀ ଦାସ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ।

ସେହିପରି ଓଡିଶାର ମନ୍ୟବର ମୁଖ୍ୟମନ୍ତ୍ରୀ ଲକ ଡାଉନକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ କେନ୍ଦ୍ରକୁ କରିଥିବା ଅନୁରୋଧକୁ ଗ୍ରହଣ କରାଯାଉ ବୋଲି ଶ୍ରୀ ଦାସ କହିଛନ୍ତି । ଏହାସହ ସେ ରାଜ୍ୟରେ ୧୫୯୭ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଖୋଲି ସାରିଥିବାବେଳେ ୬ ହଜାର ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ଖୋଲିବାର ଯୋଜନା ବିଷୟରେ କନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏହି ଆଲୋଚନାରେ କେଦ୍ର ମନ୍ତ୍ରୀ ରାଜ୍ୟକୁ ଆବଶ୍ୟକ ଥିବା ଚିକିତ୍ସା ସାମଗ୍ରୀ ଓ ସୁବିଧା ଯୋଗାଇବା ନେଇ ସମ୍ମତି ପ୍ରଦାନ କରିଥିଲେ ।