ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ କରୋନା ସମୟରେ ଚାକିରି ହରାଇଥିବା କର୍ମଚାରୀଙ୍କ ପିଏଫ୍ ଦେବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,ଏଜେନ୍ସି: ଦେଶର ଲକ୍ଷାଧିକ ଲୋକ କରୋନା ଯୋଗୁଁ ଚାକିରି ହରାଇଛନ୍ତି। ଚାକିରି ହରାଇଥିବା ଲୋକ ଦରମା ପାଉନଥିବା ବେଳେ ପିଏଫ୍ ଖାତାରେ ମଧ୍ୟ ଟଙ୍କା ଜମା ହେବା ବନ୍ଦ ହୋଇଯାଇଛି। ତେବେ କେନ୍ଦ୍ର ସରକାର ସର୍ତ୍ତମୂଳକ ସହିତ ଚାକିରି ହରାଇଥିବା ବ୍ୟକ୍ତିର ପିଏଫ୍ ଖାତାରେ ଟଙ୍କା ଜମା କରିବାର ଯୋଜନା କରିଥିଲେ। ଯଦି ବ୍ୟକ୍ତି ଜଣଙ୍କ ଚାକିରି ହରାଇବା ପରେ ପୁନର୍ବାର ଚାକିରି ପାଆନ୍ତି, ତେବେ ତାଙ୍କର ପିଏଫ୍ ଖାତା ବନ୍ଦ ନ ହେଉ ସେ ନେଇ ଏହି ଯୋଜନା କରାଯାଇଛି। ତେବେ ଏହି ଯୋଜନାର ଅବଧି ଜୁନ୍ ୩୦ରେ ଶେଷ ହେଉଥିବା ବେଳେ ଆଜି ଏହାର ଅବଧିକୁ ବୃଦ୍ଧି କରିଦିଆଯାଇଛି।

ଏହି ପରିପ୍ରେକ୍ଷୀରେ କର୍ମଚାରୀଙ୍କ ପିଏଫ୍ ଆକାଉଣ୍ଟରେ କେନ୍ଦ୍ର ସରକାର ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଟଙ୍କା ଜମା କରିବେ। ଆତ୍ମନିର୍ଭର ଭାରତ ଯୋଜନା ଅଧୀନରେ ସଂଗଠିତ କ୍ଷେତ୍ରରେ ନିୟୋଜିତ ବ୍ୟକ୍ତିଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଆକାଉଣ୍ଟରେ କର୍ମଚାରୀ ଓ ନିଯୁକ୍ତିଦାତାଙ୍କ ତରଫରୁ ସରକାର ସହଯୋଗ କରିବେ।

ଗତବର୍ଷ ଏହି ଯୋଜନା ଆରମ୍ଭ କରାଯାଇଥିଲା। ଏଥିପାଇଁ ୨୨,୮୧୦ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା। ଏଥିରୁ ୫୮.୫ ଲକ୍ଷ କର୍ମଚାରୀ ଉପକୃତ ହେବେ ବୋଲି ସରକାର ଆକଳନ କରିଥିଲେ। ମାତ୍ର ୨୧ ଲକ୍ଷ ଲୋକ ଏହି ସୁବିଧା ପାଇଛନ୍ତି। କରୋନା କାଳରେ ଚାକିରି ହରାଇଥିବା ୬୦ ପ୍ରତିଶତ ଲୋକ ଏପର୍ଯ୍ୟନ୍ତ ଚାକିରି ପାଇନାହାନ୍ତି। ଏହି ଯୋଜନା ଅନ୍ତର୍ଗତ ଆବଣ୍ଟିତ ଅର୍ଥ ମଧ୍ୟରୁ କେବଳ ୫୦ ପ୍ରତିଶତ ଖର୍ଚ୍ଚ ହୋଇଛି। ଏହି କାରଣରୁ କେନ୍ଦ୍ର ସରକାର ଏହାର କାର୍ଯ୍ୟକାଳକୁ ବୃଦ୍ଧି କରିଛନ୍ତି।