ନୂଆଦିଲ୍ଲୀ,ଏଜେନ୍ସି: ଲକଡାଉନକୁ କଡାକଡି ଭାବେ ଲାଗୁ କରିବାକୁ ରାଜ୍ୟମାନଙ୍କୁ କେନ୍ଦ୍ରର ନିର୍ଦ୍ଦେଶ । ଲକଡାଉନ ସମୟରେ ଲୋକମାନେ ଗାଁ ମୁହାଁ ହେଉଥିବା ଖବର ସାମନାକୁ ଆସିବା ପରେ ସମସ୍ତ ରାଜ୍ୟ ଓ ଜିଲ୍ଲା ମାନଙ୍କର ସୀମାକୁ ସିଲ୍ କରିବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି । କେନ୍ଦ୍ର ପକ୍ଷରୁ କୁହାଯାଇଛି ଏହି ସମୟରେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ବା ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଲୋକ ଯାଇପାରିବେ ନାହିଁ । ଜାତୀୟ ରାଜପଥ ଉପରେ କୌଣସି ପ୍ରକାର ଯାତାୟତ ନହେବା ଆବଶ୍ୟକ । ରାସ୍ତାରେ କେବଳ ମାଲ ପରିବହନ କରୁଥିବା ଗାଡି ଯାତାୟତ କରିବ ।
କରୋନା ସଂକ୍ରମଣ ସହରରୁ ଗାଁକୁ ନ ବ୍ୟାପିବା ଲାଗି କେନ୍ଦ୍ର ସରକାର ସମସ୍ତ ଆନ୍ତଃରାଜ୍ୟ ସୀମା ଓ ଜିଲା ସୀମା ସିଲ୍ (ବନ୍ଦ) କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ରବିବାର କେନ୍ଦ୍ର ସରକାର କହିଛନ୍ତି ଯେ ଲକ୍ଡାଉନ୍ ସମୟରେ ପ୍ରବାସୀ ଶ୍ରମିକଙ୍କ ଯାତାୟାତକୁ ରୋକାଯିବ। ଏଥିପାଇଁ ସମସ୍ତ ରାଜ୍ୟ ଓ ଜିଲା ସୀମାକୁ ସିଲ୍ କରାଯିବ। କ୍ୟାବିନେଟ ସଚିବ ରାଜୀବ ଗୌବା ରବିବାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ ଓ ପୁଲିସ ମହାନିର୍ଦେଶକଙ୍କ ସହିତ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ କଥା ହୋଇ ଏହି ନିର୍ଦେଶ ଦେଇଛନ୍ତି। ଲକ୍ଡାଉନ୍ ସମୟରେ ରାଜପଥ ଓ ସହରରୁ ଗାଁକୁ ଲୋକଙ୍କ ଚଳପ୍ରଚଳ ଯେପରି ନ ହେବ ତାକୁ ନିଶ୍ଚିତ କରିବାକୁ ପଡ଼ିବ। ରାଜପଥରେ କେବଳ ଜିନିଷପତ୍ର ପରିବହନକୁ ଅନୁମତି ଦିଆଯିବ । ଏହାକୁ କଡାକଡି ଭାବେ ପାଳନ ଦିଗରେ ରାଜ୍ୟ ସରକାର ଧ୍ୟାନ ଦେବେ।
ଯେଉଁ ଶ୍ରମିକମାନେ ସହର ଛାଡି ଗାଁକୁ ଯାଉଛନ୍ତି ସେମାନଙ୍କୁ ବାଧ୍ୟତାମୂଳକ ଭାବେ ୧୪ଦିନ କ୍ୱାରେନଟାଇନ୍ରେ ରଖାଯିବ। ଲକଡାଉନ ସମୟରେ ଯଦି ଲୋକଙ୍କ ଚଳପ୍ରଚଳ ଜାରି ରୁହେ ସେଥିପାଇଁ ଜିଲାପାଳ ଓ ପୁଲିସ ଅଧୀକ୍ଷକଙ୍କୁ ବ୍ୟକ୍ତିଗତ ଭାବେ ଦାୟୀ କରାଯିବ। ପ୍ରବାସୀ ଶ୍ରମିକମାନେ ଯେଉଁଠାରେ ଅଟକି ରହିଥିବେ ସେଠାରେ ସେମାନଙ୍କ ଲାଗି ପର୍ୟ୍ୟାପ୍ତ ଖାଦ୍ୟ ଓ ବାସସ୍ଥାନର ବ୍ୟବସ୍ଥା କରାଯିବ। ଏଥିପାଇଁ ସମ୍ପୃକ୍ତ ଅଞ୍ଚଳର ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯିବ। ପ୍ରବାସୀ ଶ୍ରମିକଙ୍କ ସମସ୍ୟା ସମାଧାନ କରିବା ଲାଗି କ୍ୟାବିନେଟ ସଚିବ ଓ ସ୍ୱରାଷ୍ଟ୍ର ବିଭାଗ ଅଧିକାରୀମାନେ ନିୟମିତ ଭାବେ ରାଜ୍ୟ ମୁଖ୍ୟ ସଚିବ ଓ ପୁଲିସ ମୁଖ୍ୟଙ୍କ ସହିତ ଯୋଗାଯୋଗ ଚଳାଇଛନ୍ତି। ପ୍ରବାସୀ ଶ୍ରମିକଙ୍କ ଖାଦ୍ୟ ଓ ବାସସ୍ଥାନର ବ୍ୟବସ୍ଥା ଲାଗି ରାଜ୍ୟ ବିପର୍ୟ୍ୟୟ ପ୍ରଶମନ ପାଣ୍ଠି (ଏସଡିଆରଏଫ)ରୁ ଅର୍ଥ ଖର୍ଚ୍ଚ କରିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି।
ଲକଡାଉନ ସମୟରେ ପ୍ରବାସୀ ଶ୍ରମିକମାନେ ଗାଁକୁ ଫେରିଯିବାର ଦୁଇଟି କାରଣ ରହିଛି। ପ୍ରଥମତଃ କରୋନା ଭୂତାଣୁ ସଂକ୍ରମଣର ଭୟ ଦ୍ୱିତୀୟ ହେଉଛି ନିୟମିତ କର୍ମସଂସ୍ଥାନ ହରାଇବା। ଲକଡାଉନ ଯୋଗୁଁ ସେମାନେ କୌଣସି କାମଧନ୍ଦା ପାଇପାରୁ ନାହାନ୍ତି; ତେଣୁ ସେମାନେ ଘରଭଡା ଦେଇପାରୁ ନାହାନ୍ତି କି ପିଲାଛୁଆଙ୍କୁ ଖାଇବା ଦେଇପାରୁ ନାହାନ୍ତି। ଲକଡାଉନ ଯୋଗୁଁ ସୃଷ୍ଟି ହୋଇଥିବା ଆର୍ଥିକ ଦୁଃସ୍ଥିତି ସହଜରେ ସମାଧାନ ହୋଇଯିବ ନାହିଁ। ତେଣୁ ସେମାନଙ୍କ ଭବିଷ୍ୟତ ଅନିଶ୍ଚିତ। ଏପରି ଅନିଶ୍ଚିତା ପାଇଁ ଶ୍ରମିକମାନେ ସହରରୁ ଗାଁକୁ ଫେରିଯିବାକୁ ଉଚିତ ମନେ କରୁଛନ୍ତି।