ସୁଇସ୍ ବ୍ୟାଙ୍କରେ ଭାରତୀୟଙ୍କ ଜମାରାଶି ୨୦ ହଜାର କୋଟି; ଗଣମାଧ୍ୟମ ରିପୋର୍ଟକୁ କେନ୍ଦ୍ର ସରକାରଙ୍କ ଖଣ୍ଡନ

ନୂଆଦିଲ୍ଲୀ,ଏଜେନ୍ସି: ସୁଇସ୍ ନ୍ୟାସନାଲ ବ୍ୟାଙ୍କରେ ଭାରତୀୟଙ୍କ ଜମାରାଶି ଇତିମଧ୍ୟରେ ୨୦ ହଜାର କୋଟି ଟଙ୍କା ଟପିଗଲାଣି ବୋଲି ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ କେନ୍ଦ୍ର ସରକାର ଖଣ୍ଡନ କରିଛନ୍ତି। ଶନିବାର ଏ ପ୍ରସଙ୍ଗରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ସୁଇସ୍ ବ୍ୟାଙ୍କରୁ ମିଳିଥିବା ତଥ୍ୟ ଅନୁଯାୟୀ ଏହା ଭାରତୀୟଙ୍କ କଳାଧନ ନୁହେଁ। ବଣ୍ଡ୍‌, ସିକ୍ୟୁରିଟିଜ୍ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଭାରତୀୟଙ୍କ ଜମାରାଶି ବୃଦ୍ଧି ପାଇଥିବା ବ୍ୟାଙ୍କ ସୂତ୍ରରୁ ଜଣାପଡିଛି ବୋଲି ସେ କହିଛନ୍ତି। ଅପରପକ୍ଷରେ ୨୦୧୯ ପରଠାରୁ ସୁଇସ୍ ବ୍ୟାଙ୍କରେ ଭାରତୀୟଙ୍କ ଜମାରାଶି ପ୍ରାୟ ୫୦ ପ୍ରତିଶତ ହ୍ରାସ ପାଇଛି ବୋଲି ମନ୍ତ୍ରଣାଳୟ ଦାବି କରିଛି। ୨୦୧୯ ଓ ୨୦୨୦ରେ ଭାରତ-ସ୍ୱିଜରଲାଣ୍ଡ ମଧ୍ୟରେ ଆର୍ଥିକ କାରବାର ସଂକ୍ରାନ୍ତ ତଥ୍ୟ ବିନିମୟ ହୋଇସାରିଛି। ଏଥିରେ ଭାରତୀୟଙ୍କ କଳାଧନ ସମ୍ପର୍କରେ ଆଦୌ ଉଲ୍ଲେଖ କରାଯାଇନଥିବା ନିର୍ମଳା କହିଛନ୍ତି।

ସୁଇସ୍ ବ୍ୟାଙ୍କରେ ଭାରତୀୟ ନାଗରିକ ଓ ଫାର୍ମଗୁଡିକର ଜମାରାଶି ଇତିମଧ୍ୟରେ ୨୦,୭୦୦ କୋଟିକୁ ବୃଦ୍ଧି ପାଇଲାଣି ବୋଲି ଗୁରୁବାର ପିଟିଆଇ ପକ୍ଷରୁ ଏକ ରିପୋର୍ଟ ପ୍ରକାଶିତ କରାଯାଇଥିଲା। ୨୦୧୯ ସୁଦ୍ଧା ଭାରତୀୟଙ୍କ ଜମାରାଶି ୬୬୨୫ କୋଟି ଥିବାବେଳେ ୨୦୨୦ରେ ଏହା କିପରି ୨୦ ହଜାର କୋଟି ଟପିଲା ବୋଲି ପ୍ରଶ୍ନ ଉଠୁଛି। ବିଗତ ୧୩ ବର୍ଷ ମଧ୍ୟରେ ଏହା ସର୍ବାଧିକ ବୋଲି ମଧ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ସୂଚନାଯୋଗ୍ୟ ସୁଇସ୍ ବ୍ୟାଙ୍କରୁ ଭାରତୀୟଙ୍କ କଳାଧନ ଫେରାଇ ଅଣାଯିବ ବୋଲି ନରେନ୍ଦ୍ର ମୋଦୀଙ୍କ ସରକାର କ୍ଷମତାକୁ ଆସିବା ଦିନଠାରୁ ପ୍ରତିଶ୍ରୁତି ଦେଇଆସୁଛନ୍ତି। ତେବେ ଆଜି ପର୍ଯ୍ୟନ୍ତ ସୁଇସ୍ ବ୍ୟାଙ୍କ୍‌ରେ ଥିବା ଭାରତୀୟ ଜମାକାରୀଙ୍କ ନାମ ମଧ୍ୟ ସାର୍ବଜନୀନ ହୋଇପାରିନାହିଁ। ସୁଇସ୍ ବ୍ୟାଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗ୍ରାହକ ଜମା ହ୍ରାସ ପାଇଥିବାବେଳେ ଅନ୍ୟ ପ୍ରସଙ୍ଗରେ ଭାରତୀୟଙ୍କ ଜମାରାଶି ବୃଦ୍ଧି ପାଇଛି। ନିର୍ମଳା ଆହୁରି କହିଛନ୍ତି ଯେ ଭାରତ ଓ ସ୍ୱିଜରଲାଣ୍ଡ ମଧ୍ୟରେ ଏମ୍‌ଏଏସି (ମ୍ୟୁଚୁଆଲ ଆଡମିନିଷ୍ଟ୍ରେଟିଭ୍ ଆସିଷ୍ଟାନ୍ସ ଅଗ୍ରିମେଣ୍ଟ) ସ୍ୱାକ୍ଷରିତ ହୋଇସାରିଛି। ତଦନୁଯାୟୀ ୨୦୧୮ ପରଠାରୁ ସୁଇସ୍ ବ୍ୟାଙ୍କରେ ଥିବା ଭାରତୀୟଙ୍କ ଜମାରାଶି ସଂକ୍ରାନ୍ତ ତଥ୍ୟ ଉପଲବ୍ଧ ହେଉଥିବା ସେ କହିଛନ୍ତି। ଆୟକର ଫାଙ୍କିବା ଲକ୍ଷ୍ୟରେ କେତେକ ଭାରତୀୟ ନାଗରିକ ଓ ଫାର୍ମ ସୁଇସ୍ ବ୍ୟାଙ୍କରେ ଅର୍ଥ ଜମା କରୁଛନ୍ତି ବୋଲି ଯେଉଁ ଅଭିଯୋଗ ହୋଇଆସୁଛି, ତାହାର ସତ୍ୟତା ଏପର୍ଯ୍ୟନ୍ତ ପ୍ରମାଣିତ ହୋଇପାରିନାହିଁ ବୋଲି ନିର୍ମଳା କହିଛନ୍ତି। ତେଣୁ ଏଭଳି କଳ୍ପନାଜଳ୍ପନା ଯଥାର୍ଥ ନୁହେଁ ବୋଲି ନିର୍ମଳା ସଫେଇ ଦେଇଛନ୍ତି।