କଟକରେ ଜମୁଛି ଦୁର୍ଗାପୂଜା: ଚାନ୍ଦିମେଢ଼ ଓ ସୁନା ଅଳଙ୍କାରରେ ଦେଖନ୍ତୁ ମା’ଙ୍କ ଅଲୌକିକ ରୂପ

ହଜାର ବର୍ଷର କଟକ ସହରରେ ଦଶହରା ଉତ୍ସବ ଏକ ଅନନ୍ୟ ପାର୍ବଣ। ସେହିଭଳି ଭସାଣି ଉତ୍ସବ ମଧ୍ୟ ସମ୍ପୂର୍ଣ୍ଣ ନିଆରା। ଭାଇଚାରାର ସହର କଟକରେ ଜାକଜମକରେ ପ୍ରତିବର୍ଷ ପାଳନ ହୁଏ ଶାରଦୀୟ ଦୁର୍ଗାପୂଜା। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ପାର୍ବଣରେ ସହଯୋଗର ହାତ ବଢ଼ାଇଥାନ୍ତି। ସମସ୍ତଙ୍କ ସହଯୋଗ ଏବଂ ପ୍ରଶାସନର ସହାୟତାରେ ଶାନ୍ତିଶୃଙ୍ଖଳାର ସହ ଦଶହରା ଉତ୍ସବ ପାଳନ କରାଯାଇଥାଏ। ପ୍ରତ୍ୟେକବର୍ଷ ନିଆରା ଢଙ୍ଗରେ ପୂଜା କମିଟିଗୁଡ଼ିକ ଏହି ଉତ୍ସବ ପାଳନ କରିଥାନ୍ତି। ଶ୍ରଦ୍ଧାଳୁମାନେ ସପ୍ତମୀରୁ ଦଶମୀ ପର୍ଯ୍ୟନ୍ତ ମା’ଦୁର୍ଗାଙ୍କୁ ପୂଜା କରିବା ସହ ଆକର୍ଷଣୀୟ ତୋରଣ ବୁଲି ଦେଖିଥାନ୍ତି। ରଙ୍ଗବେରଙ୍ଗର ଆଲୋକମାଳା, ସୁସଜ୍ଜିତ ପୂଜାମଣ୍ଡପରେ କଟକ ସହର ଝଲସି ଉଠିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। 

ଚାନ୍ଦିନିଚୌକ ଦୁର୍ଗାପୂଜା

ଚାନ୍ଦିନିଚୌକ ଦୁର୍ଗାପୂଜାର ଏକ ସ୍ୱାତନ୍ତ୍ର୍ୟତା ରହିଛି। ୧୯୨୬ ମସିହାରୁ ମା’ଙ୍କର ପୂଜା ହୋଇଆସୁଛି। ମା’ ଦୁର୍ଗାଙ୍କର ମୃଣ୍ମୟୀ ମୂର୍ତ୍ତିର ମୁଖା ପ୍ରତିବର୍ଷ ସମାନ ଅର୍ଥାତ୍ ନେପାଳରୁ ଆସିଥିବା ଏହି ମୁଖା ପୂଜା ପ୍ରଚଳନ ସମୟରୁ ପ୍ରତିବର୍ଷ ପ୍ରତିମା ତିଆରିବେଳେ ବ୍ୟବହାର ହୋଇଆସୁଛି। ଏହି ପୂଜାର ଆଉ ଏକ ଆକର୍ଷଣ ହେଉଛି ଚାନ୍ଦିମେଢ଼।

ମଙ୍ଗଳାବାଗ ଦୁର୍ଗାପୂଜା

ବହୁ ପୁରାତନ କାଳରୁ କଟକର ବିଭିନ୍ନ ପୂଜାମଣ୍ଡପରେ ଶାରଦୀୟ ଦୂର୍ଗାପୂଜା ପ୍ରଚଳନ ହୋଇଆସୁଛି। କୁହାଯାଏ ରାଜାରାଜୁଡ଼ା ଓ ଜମିଦାରଙ୍କ ସମୟରେ ମଧ୍ୟ ଦୁର୍ଗାପୂଜା ଧୁମଧାମରେ ପାଳନ କରାଯାଉଥିଲା। ସମୟାନୁକ୍ରମେ ରାଜ ପରିବାର ଏବଂ ଜମିଦାରଙ୍କ ବଂଶଧର ଏହି ପୂଜା ଦାୟିତ୍ୱ ତୁଲାଇବାରେ ସକ୍ଷମ ହୋଇପାରିଲେ ନାହିଁ। ତେଣୁ ସେମାନେ ସାହିର ମୁରବି ଓ ଯୁବକମାନଙ୍କୁ ପୂଜା ଦାୟିତ୍ୱ ହସ୍ତାନ୍ତର କଲେ। ତା’ପରେ ମୁରବି ଓ ଯୁବକମାନେ ପୂଜା ଦାୟିତ୍ୱ ବହନ କରିବା ସହ କାଳକ୍ରମେ ପୂଜା କମିଟି ଓ ଶାନ୍ତି କମିଟି ଗଠନ କରାଯାଇ ଶାରଦୀୟ ଦୂର୍ଗାପୂଜା କରାଯାଇଆସୁଛି। ଏହା ସହ ବହୁ ପୂଜାମଣ୍ଡପରେ ବଙ୍ଗୀୟ ରୀତିରେ ପୂଜାର୍ଚ୍ଚନା କରାଯାଉଛି। କଟକରେ ୧୭୬ଟି ପୂଜାମଣ୍ଡପ ରହିଛି। ବହୁ ପୂଜାମଣ୍ଡପରେ ମୃଣ୍ମୟୀ ମା’ ଦୁର୍ଗାଙ୍କ ଆବାହନୀ ହେଉଥିବାବେଳେ ଆଉ କେତେକ ସ୍ଥାନରେ ହରପାର୍ବତୀ ମୂର୍ତ୍ତିର୍ ପୂଜାମଣ୍ଡପର ଶୋଭାବର୍ଦ୍ଧନ କରୁଛନ୍ତି।

ଚାଉଳିଆଗଞ୍ଜ ଦୁର୍ଗାପୂଜା

ପୂଜା ପ୍ରଥମେ ପ୍ରଚଳନ ହେବା ସମୟରେ ଜରି, ଅଭ୍ର ଓ ସୁନେଲି ମେଢ଼ ହେଉଥିଲା। ସାହିବସ୍ତିରୁ ଚାନ୍ଦାଭେଦା କରାଯାଇ ଏହି ପୂଜା ଆଡ଼ମ୍ବର ସହକାରେ ପାଳନ କରାଯାଉଥିଲା। ଭସାଣିରେ ପାରମ୍ପରିକ ବାଦ୍ୟ ବ୍ୟବହାର ହେଉଥିବାବେଳେ କ୍ରମେ ସମୟ ବଦଳିଲା। ପୂଜାକୁ ଆହୁରି ଆକର୍ଷଣୀୟ କରାଗଲା। ଜରି, ପଟିତିଆରି ବାଦଲ, ଅଭ୍ର ଓ ସୁନେଲି ମେଢ଼ ପରିବର୍ତ୍ତେ ଆରମ୍ଭ ହେଲା ଚାନ୍ଦିମେଢ଼, ସୁନାମୁକୁଟ ଓ ପାଶ୍ୱର୍ଦେବଦେବୀଙ୍କ ସୁନା ଅଳଙ୍କାର। ଏହା ସହିତ ଏବେ ଅତ୍ୟାଧୁନିକ ଲାଇଟ୍ ଗେଟ୍ ସାଙ୍ଗକୁ ସୌନ୍ଦର୍ଯ୍ୟପୂର୍ଣ୍ଣ କପଡ଼ା ଗେଟ୍ ନିର୍ମାଣ କରାଯାଉଛି।

ଚୌଧୁରୀ ବଜାର ଦୁର୍ଗାମା’

 

ଖାନନଗର ଦୁର୍ଗାମା’

 

କାଜି ବଜାର ଦୁର୍ଗାପୂଜା

 

ଫିରିଙ୍ଗି ବଜାର ଦୁର୍ଗାପୂଜା

 

ଗଙ୍ଗାମନ୍ଦିର ଦୁର୍ଗାପୂଜା

କଟକ ସହରରେ ଭାଇଚାରା ଭାବର ନିଦର୍ଶନ ଦେଖିବାକୁ ମିଳିଥାଏ। କେତେକ ପୂଜାମଣ୍ଡପରେ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ପୂଜାରେ ସାମିଲ ହୁଅନ୍ତି। ଅଲିସା ବଜାର ପୂଜା କମିଟି ଏହାର ଏକ ଉଦାହରଣ। ଏଠାରେ ହିନ୍ଦୁ ମୁସଲିମ୍ ଏକାଠି ହୋଇ ପୂଜା କରିଥାନ୍ତି।