କେନ୍ଦୁଝର ଗସ୍ତରେ ସିଇସି ଟିମ୍

କେନ୍ଦୁଝର,ଏନ୍ଏନ୍ଏସ୍: ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତି ସିଇସି ଟିମ ବୁଧବାର କେନ୍ଦୁଝର ଗସ୍ତରେ ଆସି ଚମ୍ପୁଆ ବ୍ଲକର କୋଦଗାଡ଼ିଆ ଠାରେ ନିର୍ମିତ ମେଗା ପାନୀୟଜଳ ଯୋଗାଣ ପ୍ରକଳ୍ପ ପରିଦର୍ଶନ କରିଛନ୍ତି । ସିଇସି ଟିମରେ ପିଭି ଜୟକୃଷ୍ଣଙ୍କ ନେତୃତ୍ୱରେ ମେମ୍ବର ସେକ୍ରେଟାରୀ ଅମରନାଥ ସେଟ୍ଟୀ, ମେମ୍ବର ମହେନ୍ଦ୍ର ବ୍ୟାସ, ଓମବାଡ଼ସିର ଜେନେରାଲ ମ୍ୟାନେଜର ମନୋଜ ମହାପାତ୍ର, ଓମବାଡ଼ସିର ସିଇଓ ଉମା ନୁନ୍ଦୁରି ଏବଂ ଜିଲ୍ଳା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଛନ୍ତି।

ସୂଚନା ଅନୁଯାୟୀ ଏହି ମେଗା ଜଳ ଯୋଗାଣ ପ୍ରକଳ୍ପଟି ୧୦୮.୨୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ଏଥିରୁ ଚମ୍ପୁଆ, ଝୁମ୍ପୁରା, କେନ୍ଦୁଝର ଓ ପାଟଣା ବ୍ଲକର ୯୧ଟି ଗ୍ରାମର ୧.୮୯ ଲକ୍ଷ ଲୋକଙ୍କୁ ପାନୀୟଜଳ ଯୋଗାଇବାର ଯୋଜନା ରହିଛି । ଏଥିପାଇଁ ରାଜ୍ୟସରକାରଙ୍କର ୪ର୍ଥ ଅର୍ଥ କମିଶନ “ବସୁଧା” ଯୋଜନାରୁ ଅର୍ଥ ମଞ୍ଜୁର ହୋଇଥିଲା। ପ୍ରକଳ୍ପଟିର ଜଳ ଧାରଣ କ୍ଷମତା ଦୈନିକ ୧୨.୫ ଏମଏଲଡି ବୋଲି ସୂଚନା ମିଳିଛି।

ସେହିପରି ମଙ୍ଗଳବାର ସିଇସି ଟିମ୍ ଖଣି ଲିଜ ଧାରୀଙ୍କଠାରୁ ଆଦାୟ ହୋଇଥିବା ଜୋରିମାନା ଅର୍ଥ କିଭଳି ଉପଯୋଗ ହୋଇଛି ଓ କେଉଁ ଜିଲ୍ଲାରେ କେଉଁ ପ୍ରକଳ୍ପ ପାଇଁ କେତେଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର ତା’ର ଅନୁଧ୍ୟାନ କରିଥିଲେ। ତେବେ ବେଆଇନ ଖଣି ଲିଜଧାରୀଙ୍କଠାରୁ ଆଦାୟ ହୋଇଥିବା ୧୬ହଜାର କୋଟି ଟଙ୍କା ବର୍ତ୍ତମାନ ଓମଆରସିରେ ରହିଛି। ସେଥିରୁ ୧୦ହଜାର କୋଟି ପ୍ରକଳ୍ପକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ଏହି ଗସ୍ତ ପରେ ସିଇସି ଟିମ୍ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିବେ ବୋଲି ଜଣାଯାଇଛି।