ଅଧା ବାଟରେ ପ୍ରସୂତୀଙ୍କ ମୃତ୍ୟୁ ଘଟଣା ତଦନ୍ତ ହେବ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ – ସିଡ଼ିଏମଓ

ବାରିପଦା, ଏନ୍ଏନ୍ଏସ୍: ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ହାଣଦା ଗ୍ରାମରେ ଘଟିଯାଇଛି ଏଭଳି ଏକ ଅଭାବନୀୟ ଓ ଦୁଃଖଦାୟକ ଘଟଣା। ଗ୍ରାମର ଚିତରଞ୍ଜନ ମୁଣ୍ଡାଙ୍କ ସ୍ତ୍ରୀ ତୁଳସୀ ମୁଣ୍ଡା ଗର୍ଭବତୀ ଥିଲେ। ଅକ୍ଟୋବର ୪ ଶୁକ୍ରବାର ରାତିରେ ତୁଳସୀ ମୁଣ୍ଡା ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କ ସ୍ୱାମୀ ଚିତରଞ୍ଜନ ଆଶା ଦିଦିଙ୍କୁ ଧରି ବାଙ୍ଗିରିପୋଷି ହସପିଟାଲରେ ରାତି ପ୍ରାୟ ସାଢ଼େ ୧୧ରେ ପହଁଚି ରୋଗୀକୁ ହସପିଟାଲରେ ଭର୍ତି କରାଇଥିଲେ।

ଏହି ସମୟରେ ଡ଼ିଉଟିରେ ଥିବା ଡ଼ାକ୍ତର ତୁଳସୀକୁ ବାରିପଦା ପିଆରଏମ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଇବା ନିମନ୍ତେ ସ୍ୱାମୀ ଚିତରଞ୍ଜନଙ୍କୁ ପରାମର୍ଶ ଦେଇଥିଲେ। ମାତ୍ର ଏହି ସମୟରେ ହସପିଟାଲରେ ପ୍ରସୂତୀମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ୧୦୨ ଆମ୍ବୁଲାନ୍ସ ଉପଲବ୍ଧ ନଥିବାରୁ ଚିତରଞ୍ଜନ ବାଙ୍ଗିରିପୋଷି ହସପିଟାଲର ସରକାରୀ ଆମ୍ବୁଲାନ୍ସରେ ପ୍ରସୂତୀ ତୁଳସୀ ଓ ଆଶାଦିଦିଙ୍କୁ ଧରି ବାରିପଦା ଅଭିମୁଖେ ବାହାରି ଥିଲେ । ବାଟରେ ୧୮ ନମ୍ବର ଜାତୀୟ ରାଜପଥର ମୁର୍ଗାବାଡ଼ି ନିକଟରେ ଆମ୍ବୁଲାନ୍ସରୁ ତେଲ ଶେଷ ହୋଇଯାଇଥିଲା। ଫଳରେ ଆମ୍ବୁଲାନ୍ସ ପ୍ରସୂତୀକୁ ଧରି ହସପିଟାଲରେ ପହଁଚିବା ପରିବର୍ତେ ମଧ୍ୟ ରାତିରେ ରାସ୍ତାରେ ଅଟକି ରହିଗଲା।

ଏହାପରେ ୧୦୮ ଆମ୍ବୁଲାନ୍ସକୁ କଲ୍ କରାଯାଇଥିଲେ ମଧ୍ୟ ପ୍ରାୟ ଦେଢ଼ ଘଂଟା ବିଳମ୍ବରେ ୧୦୮ ଆମ୍ବୁଲାନ୍ସ ପହଁଚିଥିଲା। ଇତିମଧ୍ୟରେ ପ୍ରସୂତୀ ଅତ୍ୟଧିକ ପ୍ରସବ ଯନ୍ତ୍ରଣାକୁ ସହ୍ୟ କରିନପାରି ଜୀବନ ହାରି ସାରିଥିଲା। ପରବର୍ତି ସମୟରେ ୧୦୮ ପ୍ରସୂତୀ ତୁଳସୀକୁ ଧରି ବାରିପଦା ପିଆରଏମ ହସପିଟାଲରେ ପହଁଚିଥିଲା। କିନ୍ତୁ, ହସପିଟାଲର ଡ଼ାକ୍ତର ତୁଳସୀକୁ ମୃତ ଘୋଷଣା କରିଥିଲେ। ଖବର ପାଇ ବାଙ୍ଗିରିପୋଷି ଥାନା ପୁଲିସ ବାରିପଦାରେ ପହଁଚି ଶବ ବ୍ୟବଚ୍ଛେଦ ବ୍ୟବସ୍ଥା କରାଇବା ପରେ ଶବକୁ ସ୍ୱାମୀ ଚିତରଞ୍ଜନକୁ ହସ୍ତାନ୍ତର କରିଥିଲେ ଏବଂ ତୁଳସୀର ମୃତ୍ୟୁକୁ ନେଇ ତଦନ୍ତ ଆରମ୍ଭ କରିଥିବାର ଜଣାପଡ଼ିଛି।

ତୁଳସୀକୁ ଡ଼ାକ୍ତର ମୃତ ଘୋଷଣା କରିବା ପରେ ପ୍ରଶାସନିକ ସ୍ତରରେ ସମସ୍ତେ ନିଜ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରାଇବାରେ ଲାଗିପଡ଼ିଛନ୍ତି । ପ୍ରଥମେ ଆମ୍ବୁଲାନ୍ସର ଡ୍ରାଇଭର ହରିହର ନାୟକ ଆମ୍ବୁଲାନ୍ସରେ ତେଲ ଥିଲା, କିନ୍ତୁ ରାସ୍ତାରେ ତେଲ ଟାଙ୍କିର ପାଇପ୍ ଫାଟି ତେଲ ବୋହିଯାଇ ଟାଙ୍କି ଖାଲି ହୋଇଯାଇଥିବାର ସଫେଇ ଦେଇଥିଲା। ସେହିପରି ସିଡ଼ିଏମଓ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏହା ଅତ୍ୟନ୍ତ ଦୁଃଖଦାୟକ ଓ ସମ୍ବେଦନଶୀଳ ଘଟଣା।

ଏ ବିଷୟ ଆଜି ସକାଳ ସମୟରେ ନଜରକୁ ଆସିବାରୁ ବାଙ୍ଗିରିପୋଷି ହସପିଟାଲ ମେଡ଼ିକାଲ ଅଫିସରଙ୍କ ସହ ଯୋଗାଯୋଗ କରିଥିଲି। ଆମ୍ବୁଲାନ୍ସରେ ତେଲ ରହିଥିବାର କହିଥିଲେ। ତେବେ ଏହା ଉପରେ ତଦନ୍ତ କରିବା ପରେ ଯଦି କିଛି ତୃଟି ରହିଥିବାର ନଜରକୁ ଆସେ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଥିଲେ।

ଏପରି ସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ୫-ଟି ମନ୍ତ୍ର ମୟୂରଭଞ୍ଜ ଜିଲ୍ଲାରେ ପ୍ରଭାବହୀନ ସାବ୍ୟସ୍ତ ହୋଇଥିବା ବିଷୟ ଜନସାଧାରଣରେ ହେଉଥିବା ଆଲୋଚନାରୁ ପରିଲକ୍ଷିତ ହୋଇଛି। କେବଳ ତୁଳସୀ ନୁହେଁ, ମୟୂରଭଞ୍ଜ ଜିଲ୍ଲାରେ ଏହିପରି ଅନେକ ତୁଳସୀ ଠିକ୍ ସମୟରେ ଚିକିତ୍ସା ନପାଇବା ଓ ଚିକିତ୍ସାରେ ଅବହେଳା କାରଣରୁ ଅସମୟରେ ଜୀବନ ହାରୁଥିବା ଅଭିଯୋଗର ଅନେକ ନଜିର ରହିଛି।