ଥାନାରେ ସିସିଟିଭି ଲଗାଇବା ବାଧ୍ୟତାମୂଳକ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,ଏଜେନ୍ସି: ଦେଶର ସମସ୍ତ ଥାନାରେ ସିସିଟିଭି କ୍ୟାମେରା ଲଗାଇବା ବାଧ୍ୟତାମୂଳକ କରାଯାଇଛି। ଏନେଇ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସିବିଆଇ, ଏନଆଇଏ ଓ ଇଡ଼ି ଅଫିସରେ ମଧ୍ୟ ସିସିଟିଭି ଲଗାଇବାକୁ କୁହାଯାଇଛି। ତେବେ ସମସ୍ତ ଥାନାରେ ଅଡ଼ିଓ ସହ ସିସିଟିଭି କ୍ୟାମେରା ଲଗାଇବାକୁ ସବୁ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏହି କ୍ୟାମେରା ଗୁଡ଼ିକ ପଚରାଉଚରା ରୁମ, ଲକ ଅପ୍, ଥାନା ପରିସର, ଅଭ୍ୟର୍ଥନା ଅଞ୍ଚଳ, ପ୍ରବେଶ ଓ ପ୍ରସ୍ଥାନ ପଥ ଉପରେ ନଜର ରଖିବ। ଏଥିସହ ସବ ଇନସ୍ପେକ୍ଟର ଓ ଇନସ୍ପେକ୍ଟର ରୁମ ମଧ୍ୟ କ୍ୟାମେରା ନଜରରେ ରହିବ। ସେହିପରି ତଦନ୍ତକାରୀ ଅଫିସ ଗୁଡ଼ିକ ପଚରାଉଚରା କରୁଥିବାରୁ ସେଠାରେ ମଧ୍ୟ ସିସିଟିଭି ଲଗାଇବା ବାଧ୍ୟତାମୂଳକ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରେ, ଡିରେକ୍ଟରୋଟ ଅଫ୍ ରେଭିନ୍ୟୁ ଇଣ୍ଟେଲିଜେନ୍ସ ଓ ସିରିଏସ ଫ୍ରଡ ଇନଭେଷ୍ଟିଗେସନ ଅଫିସରେ ମଧ୍ୟ ରେକଡିଂ ସୁବିଧା ଥିବା ସିସିଟିଭି ଲାଗିବ। ତେବେ ସେହି ଭିଡିଓ ଓ ଅଡ଼ିଓ ରେକଡିଂ ଗୁଡ଼ିକ ପ୍ରମାଣ ପାଇଁ ୧୮ ମାସ ରଖାଯିବ।

ପଞ୍ଜାବର ହାଜତ ମୃତ୍ୟୁ ଘଟଣାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।