ଜିଲ୍ଲା କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଲାଗିଲା ସିସିଟିଭି କ୍ୟାମେରା

ନୂଆପଡ଼ା,ଏନ୍ଏନ୍ଏସ୍: ଜିଲ୍ଲା ସଦର ମହକୁମା ସିଲଦାସ୍ଥିତ କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ରର ଅନ୍ତଗୃହରେ ସିସିଟିଭି କ୍ୟାମେରା ଲଗାଯାଇଛି। ଏହି କ୍ୟାମେରା ଲାଗିବା ଦ୍ୱାରା ସ୍ୱାସ୍ଥ୍ୟକେନ୍ଦ୍ରର ଅନ୍ତଗୃହରେ କୋଭିଡ ଆକ୍ରାନ୍ତଙ୍କ ଚିକିତ୍ସା କାର୍ଯ୍ୟରେ ଥିବା ଡାକ୍ତର ଓ ସହଯୋଗୀଙ୍କ କାର୍ଯ୍ୟକଳାପ ସହ ଆକ୍ରାନ୍ତଙ୍କ ଉପରେ ମଧ୍ୟ ନଜର ରଖାଯାଇପାରିବ। ଆକ୍ରାନ୍ତଙ୍କ ପ୍ରିୟଜନ ତଥା ସ୍ୱାସ୍ଥ୍ୟକେନ୍ଦ୍ରରେ ନିୟୋଜନ ସହଯୋଗୀଙ୍କ ଦ୍ଵାରା ଅନେକ ବିଶୃଙ୍ଖଳାର ଅଭିଯୋଗ ଆସିବା ପରେ ସ୍ଥିତି ନିୟନ୍ତ୍ରଣ ରଖିବା ଓ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟ ନେଇ ଏହି ବ୍ୟବସ୍ଥା ହାତକୁ ନିଆଯାଇଛି ବୋଲି ଜିଲ୍ଲାପାଳ ସ୍ୱଧାଦେଵ ସିଂ କହିଛନ୍ତି । ବିଗତ ଦିନରେ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଅମ୍ଳଜାନ ଅଭାବରୁ ରୋଗୀଙ୍କ ମୃତ୍ୟ ହୋଇଥିବା ଅଭିଯୋଗ ମଧ୍ୟ ଆସିଥିଲା। ଵର୍ତ୍ତମାନ ସମୟରେ ଜିଲ୍ଲା କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ରରେ ସମସ୍ତ ଆନୁଷଙ୍ଗିକ ସୁବିଧା ଉପଲବ୍ଧ ଥିବାବେଳେ ୫ଟି ଜୀବନ ରକ୍ଷାକାରୀଯନ୍ତ୍ର ବିଶିଷ୍ଟ ଶଯ୍ୟାର ବ୍ୟବସ୍ଥା ରହିଛି। ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ ମହଜୁଦ ରହିଛି । ସମ୍ପ୍ରତି ୧୬୫ ଶଯ୍ୟାବିଶିଷ୍ଟ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ୮୧ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ୯ଜଣ ବିଶେଷଜ୍ଞ, ୩ଜଣ ଏମବିବିଏସ ଓ ୨ଜଣ ଆୟୁଷ ଡାକ୍ତର ନିୟୋଜିତ ହେବା ସହ ୩୦ଜଣ ସେବିକା ଓ ୧୫ଜଣ ସହଯୋଗୀ ନିୟୋଜିତ ହୋଇଛନ୍ତି।