ସିବିଏସ୍ଇ ପକ୍ଷରୁ ଦଶମ ଏବଂ ଦ୍ୱାଦଶ ପ୍ରଶ୍ନପତ୍ର ଢ଼ାଞ୍ଚାରେ ହେବ ପରିବର୍ତ୍ତନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ୨୦୨୩ ସୁଦ୍ଧା ସିବିଏସ୍ଇ ଦଶମ ଏବଂ ଦ୍ୱାଦଶ ପରୀକ୍ଷାରେ ବ୍ୟାପକ ସଂସ୍କାର ଆଣିବାକୁ ଯାଉଛି। ଏହି ୨ଟି ଶ୍ରେଣୀରେ ପ୍ରଶ୍ନପତ୍ରର ଢ଼ାଞ୍ଚାକୁ ବଦଳାଇବାକୁ ସିବିଏସ୍ଇ ଲକ୍ଷ୍ୟ ରଖିଥିବା ବେଳେ ଏହାସଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା ଓ ବିଶ୍ଳେଷଣାତ୍ମକ ଚିନ୍ତାଧାରା ବୃଦ୍ଧି ପାଇବ ବୋଲି ଆଶା ପ୍ରକାଶ ପାଇଛି।

ଏନେଇ ସିବିଏସ୍ଇ ସଚିବ ଅନୁରାଗ ତ୍ରୀପାଠି ସୂଚନା ଦେଇଛନ୍ତି ଯେ, ଚଳିତବର୍ଷ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଯେଉଁ ପରୀକ୍ଷା ଦେବାକୁ ଯାଉଛନ୍ତି ସେଥିରେ ୨୦ପ୍ରତିଶତ ସଂକ୍ଷିପ୍ତ ପ୍ରଶ୍ନ ସହ ସୃଜନାତ୍ମକ ଚିନ୍ତାଧାରା ଉପରେ ପର୍ଯ୍ୟବେଶିତ ୧୦ପ୍ରତିଶତ ପ୍ରଶ୍ନ ରହିଛି। ମାତ୍ର ବୋର୍ଡ ଯେଉଁ ସଂସ୍କାର ପ୍ରକ୍ରିୟା ଆପଣେଇବାକୁ ଯାଉଛି ସେଥିରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପ୍ରଶ୍ନରେ ସୃଜନାତ୍ମକ, ଅଭିନବ ଓ ଜଟିଳ ସମୀକ୍ଷା ସମ୍ପର୍କିତ ବିଷୟ ଉପରେ ପର୍ଯ୍ୟବେଶିତ ରହିବ।

ସେହିପରି ସିବିଏସ୍ଇ ଦ୍ୱାରା ପରିଚାଳିତ ସ୍କୁଲ ଗୁଡିକ ଶିକ୍ଷକମାନଙ୍କ ପ୍ରତି ଉତ୍ସର୍ଗିକୃତ ହେବାସହ ଅଧିକ ସମୟ ଦେବାକୁ ସେ ପରାମର୍ଶ ଦେଇଛନ୍ତି। ସମ୍ପୃକ୍ତ ଶିକ୍ଷକମାନଙ୍କୁ ୩ରୁ ୬ମାସ ପର୍ଯ୍ୟନ୍ତ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଯାହାଫଳରେ ସେମାନେ ନିଜକୁ ସଠିକ ଭାବେ ପରିପ୍ରକାଶ କରିବା ସହ ସେମାନେ କାର୍ଯ୍ୟକ୍ଷେତ୍ରରେ ସମ୍ପୂର୍ଣ୍ଣ ମନଯୋଗ ପାଇଁ ପ୍ରେରିତ ହୋଇପାରିବେ। ଧନ୍ଦାମୂଳକଶିକ୍ଷା ସହ ମୁଖ୍ୟ ବିଷୟବସ୍ତୁ ମଧ୍ୟରେ ଥିବା ବ୍ୟବଧାନକୁ ପୂରଣ କରିବା ପାଇଁ ଏହି ନିତି ସହାୟକ ହେବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।