ନୂଆଦିଲ୍ଲୀ,ଏଜେନ୍ସି: ଆଇପିଏଲ୍ ୨୦୧୯ରେ ପାକିସ୍ତାନ ଲିଙ୍କ ଥିବା ବେଟିଂ ସିଣ୍ଡିକେଟ ବିରୋଧରେ ମାମଲା ରୁଜୁ କଲା ସିବିଆଇ। ଦେଶର ଦିଲ୍ଲୀ ଏବଂ ରାଜସ୍ଥାନର ୭ଟି ସ୍ଥାନରେ ଚଢାଉ କରିଛି ସିବିଆଇ। ଶୁକ୍ରବାର ସିବିଆଇ ଏନେଇ ଦୁଇଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଜଣେ ବରିଷ୍ଠ ସିବିଆଇ ଅଧିକାରୀଙ୍କ କହିବା ଅନୁଯାୟୀ, ଦିଲ୍ଲୀ, ‘ଯୋଧପୁର, ହାଇଦ୍ରାବାଦ, ଜୟପୁରର ୭ଟି ସ୍ଥାନରେ ଚଢାଉ ଜାରି ରହିଛି। ଏହିସବୁ ସ୍ଥାନରେ ଆଇପିଏଲ୍ ୨୦୧୯ ସମୟରେ ବେଟିଂ କରାଯାଉଥିଲା। ଏଠାରେ ବେଟିଂ ପାଇଁ ଲଗାଯାଉଥିବା ଟଙ୍କା ପାକିସ୍ତାନକୁ ପଠାଯାଉଥିବା ଜଣାପଡିଛି। ଭାରତୀୟ ଜନସାଧାରଣଙ୍କୁ ମ୍ୟାଚରେ ବେଟିଂ ଉଦ୍ଦେଶ୍ୟରେ ନକଲି ବ୍ୟାଙ୍କ ଆକାଉଣ୍ଟ, ଆଇଡି କାର୍ଡ ପ୍ରସ୍ତୁତ କରିବା ସହ ଗ୍ରାହକଙ୍କ ଡକ୍ୟୁମେଣ୍ଟ୍ସ ସଂଗ୍ରହ କରି ଅର୍ଥ ହଡପ୍ କରୁଥିଲେ।’
ଏହି ସବୁ ଆକାଉଣ୍ଟରେ ଡିପୋଜିଟ ହେଉଥିବା ଟଙ୍କା ବିଭିନ୍ନ ବିଦେଶୀ ଆକାଉଣ୍ଟରେ ଡିପୋଜିଟ ହେଉଥିଲା। ସୂଚନା ମୁତାବକ ଏପରି ସିଣ୍ଡିକେଟ ୨୦୧୦ରୁ ଚାଲି ଆସୁଥିଲା। ବର୍ତ୍ତମାନ ମାମଲା ତଦନ୍ତ ପରିସରଭୁକ୍ତ ରହିଛି। ଏଥିରେ ଅନେକଙ୍କ ନାମ ମଧ୍ୟ ଜଣାପଡିଛି। ଯେଉଁ ବ୍ୟାଙ୍କ ଆକାଉଣ୍ଟର ମନି ଟ୍ରାଞ୍ଜାକ୍ସନ ହୋଇଥିଲେ ସେଗୁଡିକ ମଧ୍ୟ ଯାଞ୍ଚ କରାଯାଉଥିବା ସିବିଆଇ ଅଧିକାରୀ କହିଛନ୍ତି।