ପଚରାଉଚରା ପାଇଁ ମହିମା ମିଶ୍ରଙ୍କ ପୁଅକୁ ନେଲା ସିବିଆଇ ଟିମ୍‌

କଟକ,ଏନ୍ଏନ୍ଏସ୍: ଶିଳ୍ପପତି ମହିମା ମିଶ୍ରଙ୍କ ବାସଭବନରେ ଶେଷ ହେଲା ସିବିଆଇର ଚଢ଼ଉ । ଚଢ଼ଉ ପରେ ମହିମା ମିଶ୍ରଙ୍କ ପୁଅ ଚନ୍ଦନ ମିଶ୍ରଙ୍କୁ ସାଥିରେ ନେଇଗଲା ସିବିଆଇ ଟିମ୍‌ । ମହିମା ମିଶ୍ରଙ୍କ ଘରୁ ଅନେକ ଦସ୍ତାବିଜ ଜବତ କରିଛି ସିବିଆଇ ଟିମ୍‌। ଏହି ଦସ୍ତାବିଜ୍‌ର ସବିଶେଷ ଯାଞ୍ଚ କରିବ ତଦନ୍ତକାରୀ ଦଳ।

ପାରାଦ୍ବୀପ ପୋର୍ଟରେ ୨୫ ଲକ୍ଷ ଟଙ୍କା ଲାଞ୍ଚ କାରବାରରେ ମହିମା ମିଶ୍ରଙ୍କ ଲିଙ୍କ୍‌ ଥିବା ସନ୍ଦେହ କରୁଛି ସିବିଆଇ ଦଳ। ଅଧିକ ପଚରାଉଚରା ପାଇଁ ସିବିଆଇ ଟିମ୍‌ ମହିମା ମିଶ୍ରଙ୍କ ପୁଅ ଚନ୍ଦନ ମିଶ୍ରଙ୍କୁ ସାଥିରେ ନେଇଛି। ଏହାକୁ ନେଇ ସ୍ପଷ୍ଟ କରିଛନ୍ତି ମହିମା ମିଶ୍ରଙ୍କ ଓକିଲ ରାଜେନ୍ଦ୍ର ପ୍ରସାଦ।

ଠିକାଦାର ସୁମନ୍ତ ରାଉତଙ୍କଠାରୁ ପାରାଦ୍ବୀପ ଚିଫ୍‌ ମେକାନିକାଲ ଇଞ୍ଜିନିୟର ସରୋଜ ଦାସ ୨୫ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ମହିମା ମିଶ୍ରଙ୍କ ଅଫିସ ଓ ବାସଭବନରେ ଚଢ଼ାଉ ବେଳେ କେତେକ ଦସ୍ତାବିଜ୍‌ ଯାଞ୍ଚ କରିଥିଲା ତଦନ୍ତକାରୀ ଦଳ। ଲାଞ୍ଚ ଦେଇଥିବା ଠିକାଦାର ଓ ଲାଞ୍ଚ ନେଇଥିବା ଅଧିକାରୀଙ୍କ ସହ ମହିମା ମିଶ୍ରଙ୍କ ଲିଙ୍କ୍‌ ରହିଥିବା ନେଇ ଖୋଳତାଡ ଚଳାଇଥିଲା ସିବିଆଇ ଟିମ୍‌।