ସିବିଆଇ ହାତରେ ଧରାପଡ଼ିଲେ ଲାଞ୍ଚୁଆ ପୋଷ୍ଟାଲ ଅଧିକାରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଲାଞ୍ଚ ନେଉଥିବାବେଳେ ରାଇରଙ୍ଗପୁର ସବ-ଡିଭିଜିନାଲ ପୋଷ୍ଟାଲ ଇନସ୍ପେକ୍ଟର ସଞ୍ଜିତ କୁମାର ବେହେରା ସିବିଆଇ ହାତରେ ଧରାପଡ଼ିଛନ୍ତି। ସିବିଆଇ ଅଧିକାରୀ ତାଙ୍କ ପାଖରୁ ୧୫ ହଜାର ଟଙ୍କା ମଧ୍ୟ ଜବତ କରିବା ପରେ ମଙ୍ଗଳବାର ସିବିଆଇ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସିବିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରାଇରଙ୍ଗପୁର ରରୁଆଁ ବ୍ଲକ ଝାଡ଼ଗୁସ୍ତା ଗ୍ରାମପଞ୍ଚାୟତ ପୋଷ୍ଟମାଷ୍ଟର ସୁକାନ୍ତ ମହାକୁଢ଼ ଡ୍ୟୁଟି ଆଲାଉନ୍ସ ପାଇଁ ରାଇରଙ୍ଗପୁର ସବ-ଡିଭିଜିନାଲ ପୋଷ୍ଟାଲ ଅଫିସରେ ଆବେଦନ କରିଥିଲେ।

ବାରମ୍ବାର ଦୌଡ଼ିବା ପରେ ସବ-ଡିଭିଜିନାଲ ପୋଷ୍ଟାଲ ଇନ୍ସପେକ୍ଟର ସଞ୍ଜିତ ବେହେରା ଏଥିପାଇଁ ଲାଞ୍ଚ ମାଗିଥିଲେ। ୨୦ହଜାର ଟଙ୍କା ଦେଲେ ସେ ତାଙ୍କର ଡ୍ୟୁଟି ଆଲାଉନ୍ସ କରାଇଦେବାକୁ କହିଥିଲେ। ହେଲେ ସେ ୧୫ ହଜାର ଟଙ୍କା ଦେବେ ଓ କାମ ସରିଲେ ବାକି ୫ ହଜାର ଟଙ୍କା ଦେବାକୁ ରାଜି ହୋଇଥିଲେ। ଏନେଇ ପୋଷ୍ଟମାଷ୍ଟର ସିବିଆଇରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ସେ ମଙ୍ଗଳବାର ଅଫିସରେ ଲାଞ୍ଚ ନେଉଥିବା ବେଳେ ସିବିଆଇ ଚଢାଉ କରିଥିଲା। ଚଢ଼ଉ ବେଳେ ତାଙ୍କ ପକେଟରୁ ଲାଞ୍ଚ ଟଙ୍କା ଜବତ ହୋଇଥିଲା।

ଏହା ପରେ ସିବିଆଇ ସଞ୍ଜିତଙ୍କ ସରକାରୀ ବାସଭବନ, ବିଜାତଳା ବ୍ଲକ ଜାମୁଡ଼ାଳିସ୍ଥିତ ପୈତୃକ ଘର, ଇଚିଣ୍ଡାସ୍ଥିତ ଶଶୁର ଘର ସମେତ ସମ୍ପର୍କୀୟଙ୍କ ଘରେ ଚଢ଼ଉ କରିଛି। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସିବିଆଇ ଏହି ଚଢ଼ଉ କରିଥିବା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ଆୟବର୍ହିଭୂତ ସମ୍ପତ୍ତି ଠାବ କରିଥିବା ଜଣାପଡ଼ିଛି। ଏନେଇ ସିବିଆଇ ଏକ ମାମଲା ରୁଜୁକରି ଅଭିଯୁକ୍ତ ସଞ୍ଜିତକୁ ଆସନ୍ତାକାଲି ଭୁବନେଶ୍ୱରସ୍ଥିତ ସିବିଆଇ କୋର୍ଟରେ ହାଜର କରାଯିବ ବୋଲି ଜଣାପଡ଼ିଛି।