ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଅମାପାଲି ଗ୍ରାମରୁ କୋଲକାତାକୁ ଗୋ ଚାଲାଣ ହେଉଥିବା ସମୟରେ ଗ୍ରାମବାସୀମାନେ ଏହାକୁ ରୋକିବାରେ ସଫଳ ହୋଇଛନ୍ତି। ମିଳିଥିବା ରିପୋର୍ଟ ମୁତାବକ, ଗାଈ ଚାଲାଣ କରୁଥିବା ଅଭିଯୁକ୍ତ ଓ ଗାଡ଼ିକୁ ଗ୍ରାମବସୀ ଅଟକ ରଖି ରେଙ୍ଗାଲି ପୁଲିସକୁ ଖବର ଦେଇଥିଲେ। ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ୪୨ଟି ଗାଈ ଉଦ୍ଧାର କରି ଝାରସୁଗୁଡ଼ା ଗୋଶାଳାକୁ ପଠାଇଥିଲା। ଏଥିସହିତ ଗାଈ ବୋଝେଇ କଣ୍ଟେନରକୁ ଜବତ କରିଛି ଓ ଏଥିରେ ସମ୍ପୃକ୍ତ ଥିବା ୫ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ପଶ୍ଚିମବଙ୍ଗର ସାମିମ ଅହମ୍ମଦ(୫୨), ଛତିଶଗଡ଼ର ୱଧରାମ ଯାଦବ(୩୧), ଭରତଲାଲ ମିରି(୩୨), ଝାରସୁଗୁଡ଼ା ଜିଲ୍ଲା ଅମାପାଲିର ନାରା ସାଗର(୩୮), ସୁବାଷ ସାଗର ବୋଲି ରେଙ୍ଗାଲି ଆଇଆଇସି ସାରଙ୍ଗଧର ପାଣିଗ୍ରାହୀ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଆଖପାଖ ଗ୍ରାମ ତଥା ଜିଲ୍ଲାରୁ ଗାଈ ଆଣି ଅମାପାଲି ନିକଟରେ ରଖାଯାଉଥିବାବେଳେ କେତେକ ଦୁର୍ବୁତ୍ତ ସେହି ଗାଈଗୁଡିକୁ କୋଲକାତା ଓ ସୁନ୍ଦରଗଡ଼ ଆଦି ସ୍ଥାନକୁ ଚାଲାଣ କରୁଛନ୍ତି। ତେଣୁ ଏହି ଗାଈ ଚାଲାଣ କରୁଥିବା ଗ୍ୟାଙ୍ଗ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସାଧାରଣରେ ଦାବି ହୋଇଛି।