ଦେବଗଡ଼,ଏନ୍ଏନ୍ଏସ୍: ତିଳେଇବଣି ବ୍ଲକ ବିଡ଼ିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ବିଜେପି ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କ ମାଡ଼ ଘଟଣାରେ ଆଜି ଉଭୟ ପକ୍ଷଙ୍କ ଏତଲା ଆଧରରେ ଦେବଗଡ଼ ଥାନା ପୁଲିସ ଭିନ୍ନଭିନ୍ନ ଦୁଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ ତିଳେଇବଣି ବ୍ଲକ ଛେପଲିପାଲି ପଞ୍ଚାୟତ ଅନ୍ତର୍ଗତ ଭାଲିଆଗୁଡ଼ି ଗ୍ରାମରେ ତିଳେଇବଣି ବ୍ଲକ୍ ବିଡିଓ କୃଷ୍ଣ ଚନ୍ଦ୍ର ଦଳପତିଙ୍କୁ ବିଜେପି ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ସହ ତାଙ୍କ ସହଯୋଗୀ ପ୍ରତାପ କୁମାର ପଣ୍ଡା, ରୁନା ପଣ୍ଡା, ଅକାଳୁ ଧଳ, କୁମରମଣି ସାହୁ ଓ ଦେବାଶିଷ କରଙ୍କ ସମେତ ୧୦ରୁ ଊର୍ଦ୍ଧ୍ବ କର୍ମୀ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡିଛି। ଆହତ ବିଡ଼ିଓ ପ୍ରାଥମିକ ଚିକିତ୍ସାପରେ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେବାସହ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣା ପଡିଛି।
ମିଳିଥିବା ସୂଚନା ଅନୁଯାଇ ଆଜି ପୂର୍ବାହ୍ନରେ ତିଳେଇବଣି ବିଡିଓ କୃଷ୍ଣ ଚନ୍ଦ୍ର ଦଳପତି ଦେବଗଡ଼ ତହସିଲଦାର ଓ ରାଜସ୍ବ ବିଭାଗ କର୍ମଚାରୀଙ୍କ ସହ ଛେପଲିପାଲି ପଂଚାୟତ ଅନ୍ତର୍ଗତ ଭାଲିଆଗୁଡ଼ି ଗ୍ରାମରେ ହାଇକୋର୍ଟ ନିର୍ଦେଶରେ ଏକ ଯୁଗ୍ମ ତଦନ୍ତ ରେ ଯାଇଥିବା ସମୟରେ ସେଠାରେ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ତାଙ୍କ ସହଯୋଗୀ ପ୍ରତାପ କୁମାର ପଣ୍ଡା, ରୁନା ପଣ୍ଡା, ଦେବାଶିଷ କର, ଅକାଳୁ ଧଳ ଓ କୁମରମଣି ସାହୁ ଓ ଅନ୍ୟ ୧୦ରୁ ଊର୍ଦ୍ଧ୍ବ କର୍ମୀ ବିଧାୟକଙ୍କ ଇନୋଭା ଗାଡି ସହ ଅନ୍ୟ ଦୁଇଟି ଗାଡ଼ିରେ ସେଠାରେ ପହଞ୍ଚି ବିଡ଼ିଓଙ୍କୁ ଆତାର୍କିତ ମାଡ ଦେବାସହ ବିଧାୟକଙ୍କ ଗାଡ଼ିରେ ବଳ ପୂର୍ବକ ଉଠାଇ ନେବାକୁ ଉଦ୍ୟମ କରିଥିଲେ। ତେବେ ସେଠାରେ ଥିବା ରାଜସ୍ୱ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଆକ୍ରମଣ କାରିଙ୍କ କବଳରୁ ବିଡିଓ ଙ୍କୁ ଉଦ୍ଧାର କରିବା ସହ ଚିକତ୍ସା ପାଇଁ ଡାକ୍ତର ଖାନାକୁ ଆଣୁଥିବା ବେଳେ ଆକ୍ରମଣ କାରିଙ୍କ ପୁନଃ ଆକ୍ରମଣ ଆଶଙ୍କା ରେ ଭୟଭୀତ ବିଡିଓ ଡାକ୍ତରଖାନା ପରିବର୍ତ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ କୁ ଆସି ଜିଲ୍ଲାପାଳଙ୍କୁ ଘଟଣା ସମ୍ପର୍କରେ ଅବଗତ କରିବା ସହ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ବିଡିଓ ଦଳପତିଙ୍କ ରିପୋର୍ଟ ଆଧାରରେ ଦେବଗଡ଼ ଥାନା ପୁଲିସ ଦଫା ୩୪୧/୩୨୩/୨୯୪/୩୫୩/୫୦୬/୩୦୭/୩୪ ଓ ଏସସି ଏସଟି (ପିଓଏ) ଆକ୍ଟରେ ମାମଲା ରୁଜୁ କରିଥିବା ବେଳେ ମାମଲାର ତଦନ୍ତ ଭାର ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ର କରୁଥିବା ବେଳେ ବିଧାୟକଙ୍କ ଏତଲା ଆଧାର ରେ ଦେବଗଡ଼ ଥାନା ପୁଲିସ ବିଡିଓ ଦଳପତିଙ୍କ ବିରୁଦ୍ଧରେ ଦଫା ୩୪୧/୩୨୩/୨୯୪/୫୦୬ ରେ ମାମଲା ରୁଜୁ କରି ମାମଲାର ତଦନ୍ତ ଭାର ଦେବଗଡ଼ ଥାନା ଆଇଆଇସି ସୁରେନ୍ଦ୍ର କୁମାର ନାୟକ କରୁଥିବା ଜଣା ପଡିଛି l ଅନ୍ୟ ପକ୍ଷରେ ବିଡ଼ିଓ ଶ୍ରୀ ଦଳପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇ ସାଲାଇନ ନେଉଥିବା ବେଳେ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ସହ ଯୋଗାଯୋଗ ସମ୍ଭବ ହୋଇନାହିଁ l