ଅଶ୍ଲିଳ ଭାଷା ପ୍ରୟୋଗ କରି ୟୁ-ଟୁବରେ ସଂଗୀତ ପରିବେଷଣ କରିଥିବା ଯୋଗୁଁ, ଥାନାରେ ଏତଲା

ନବରଙ୍ଗପୁର,ଏନ୍ଏନ୍ଏସ: ନବରଙ୍ଗପୁର ଟାଉନ ଥାନାରେ ମହିଳା ସ୍ବେଚ୍ଛାସେବୀ ଅନୁଷ୍ଠାନ ମା’ ଘର, ଆମେ ନରଙ୍ଗପୁରିଆ ସୋସିଆଲ ମିଡ଼ିଆ ଗୃପ ଏବଂ ନବରଙ୍ଗପୁର ଜିଲ୍ଲା କଳାକାର ସଂଘର ଶତାଧିକ କର୍ମକର୍ତ୍ତା ପହଞ୍ଚି ପୃଥକ ଭାବେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ ବାଲେଶ୍ବର, କୁଚିଣ୍ଡା ବାସିନ୍ଦା ଶଙ୍କର ଓମ୍ ଶରଣ ୟୁ ଟ୍ୱବରେ ଶସ୍ତା ଲୋକପ୍ରିୟତା ହାସଲ କରିବା ଲକ୍ଷରେ କିଛି ଜିଲ୍ଲାର ଝିଅ ଭଉଣୀଙ୍କ ପ୍ରତି ଅଶାଳୀନ, ଅଭଦ୍ର, ଅସାମାଜିକ କଟୁ ଆକ୍ଷେପ କରି ସେଥିରେ ନବରଙ୍ଗପୁର ତଥା ଅବିଭକ୍ତ କୋରାପୁଟ ଜିଲ୍ଲାର ଝିଅ ମାନଙ୍କୁ ବି ସାମିଲ କରିଥିବାରୁ ଏହା ଜିଲ୍ଲାବାସୀଙ୍କୁ ବ୍ୟଥିତ କରିଥିଲା।

ଏନେଇ ଶୁକ୍ରବାର ନବରଙ୍ଗପୁର ଥାନାରେ ଉକ୍ତ ବ୍ୟକ୍ତି ବିଶେଷଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଏତଲା ଦାଏର କରାଯାଇଛି। ମା ଭଉଣୀଙ୍କୁ ନେଇ ଏଭଳି ଅସଭ୍ୟ ଚିନ୍ତାଧାରା ରଖୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଯଦି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଯାଏ ତେବେ ଆଗାମୀ ଦିନରେ ମା ଭଉଣୀଙ୍କୁ ନେଇ ଏଭଳି ଉପହାସ କରିବାକୁ କେହି ଭୟ କରିବେ ନାହିଁ। ତେଣୁ ଆଇନ ଅନୁଯାୟୀ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ ମା’ ଘର ଅଧ୍ୟକ୍ଷା କାଦମ୍ବିନୀ ତ୍ରିପାଠୀ। ସେହିଭଳି ଗୀତ, ସଂଗୀତ, ନୃତ୍ୟ ହେଉଛି ପବିତ୍ର ସାରସ୍ୱତ କଳା। ତାକୁ ନେଇ ଏଭଳି ବିକୃତ ସଂଳାପ ଦ୍ୱାରା ମା’ ଓ ମାଟିକୁ ଅସମ୍ମାନ କରିବା କାହାର ବି ଅଧିକାର ନରହିବା ଉଚ୍ଚିତ୍।

ଏଭଳି ବିକୃତ ମାନସିକତାର ବ୍ୟକ୍ତିଙ୍କୁ ଏଥିରୁ ନିବୃତ ରହିବା ନିମନ୍ତେ କଠୋର କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି ଦେବଦାସ ମହାଙ୍କୁଡ ଦାବି କରିଥିଲେ। ଏତଲା ଦେବା ସମୟରେ ମା’ ଘର ତରଫରୁ ଅଧ୍ୟକ୍ଷା କାଦମ୍ବିନୀ ତ୍ରିପାଠୀ, ମାୟାରାଣୀ ପାତ୍ର, ପ୍ରଭାତୀ ପାତ୍ର, କାମିନୀ ତ୍ରିପାଠୀ, ସୁଧାରାଣୀ ନାଇଡୁ, ଜିଲ୍ଲା କଳାକାର ସଂଘ ତରଫରୁ ବରିଷ୍ଠ କଳାକାର ଦେବଦାସ ମହାଙ୍କୁଡ ସୁରେଶ ମହାନ୍ତି, ଦୂର୍ଗା ପ୍ରସାଦ ପାଢ଼ୀ, ସୁରେଶ ମିଶ୍ର, ମନୋଜ ପଟ୍ଟନାୟକ, ଟିକି ସୁନା, ଯୁଗଳ ତ୍ରିପାଠୀ, ଅମର ମହାନ୍ତି, ଜଗୁ ଆଚାରୀ ଏବଂ ଆମେ ନବରଙ୍ଗପୁରିଆ ଗୃପ୍‌ ତରଫରୁ ବିକ୍ରମ ଦାସ, ରବି ପ୍ରସାଦ, ଫାଲଗୁନି ପାତ୍ର, ନିନିବାବୁ ତ୍ରିପାଠୀ, ସୁମିତ ପାଳ, ସମୀର ପାତ୍ର, ଆଇନଜୀବୀ ସିରାଜୁଦିନ ଅହମ୍ମଦ ପ୍ରମୁଖ ଉପସ୍ଥିତ ଥିଲେ।