ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ଓ ପତ୍ନୀଙ୍କ ବିରୋଧରେ ଏତଲା

ମୁମ୍ବାଇ,ଏଜେନ୍ସି: ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପତ୍ନୀ ଯୋଗୀତା ବାଲୀ ଏବଂ ପୁଅ ମହାକ୍ଷୟଙ୍କ ବିରୋଧରେ ମୁମ୍ବାଇର ଓ ସିବାରା ପୁଲିସଷ୍ଟେସନରେ ଜଣେ ମହିଳା ଏଫ୍‌ଆଇଆର୍ ଦେଇଛନ୍ତି । ମହିଳା ଜଣକ ମହାକ୍ଷୟଙ୍କ ନାମରେ ଦୁଷ୍କର୍ମ, ଗର୍ଭପାତ ଏବଂ ଧୋକା ଦେଇଥିବା ଅଭିଯୋଗ ଆଣିଛନ୍ତି । ଏହାଛଡ଼ା ଯୋଗୀତା ତାଙ୍କୁ ବାରମ୍ବାର ଧମକଚମକ ଦେଉଥିବା ସମ୍ପର୍କରେ ଅଭିଯୋଗ ଆଣିଛନ୍ତି ମହିଳା ଜଣକ । ମହିଳା ଜଣଙ୍କ ନିଜ ପିଟିସନ୍‌ରେ ଲେଖିଛନ୍ତି ଯେ, ସେ ୨୦୧୫ରୁ ୨୦୧୮ ପର୍ଯ୍ୟନ୍ତ ମହାକ୍ଷୟଙ୍କ ସହ ରିଲେସନ୍‌ଶିପ୍‌‌ରେ ଥିଲେ ।

ରିଲେସନ୍‌ଶିପ୍‌ରେ ଥିବା ସମୟରେ ମହାକ୍ଷୟ ତାଙ୍କୁ ବିବାହ କରିବେ ବୋଲି କଥା ଦେଇଥିଲେ । ଏପରିକି ମହାକ୍ଷୟ ନିଜ ଅନ୍ଧେରୀ ୱେଷ୍ଟ୍ ସ୍ଥିତ ଫ୍ଲାଟ୍ ଦେଖାଇନେବା ବାହାନାରେ ସେଠାରେ ସଫ୍ଟ ଡ୍ରିଙ୍କ୍‌ରେ ନିଶାଦ୍ରବ୍ୟ ମିଶାଇ ତାଙ୍କୁ ଦୁଷ୍କର୍ମ କରିଥିଲେ। ପରେ ତାଙ୍କୁ ବାଧ୍ୟ କରି ଗର୍ଭପାତ କରାଇଥିଲେ । ୨୦୧୮ରେ ମହାକ୍ଷୟ ତାଙ୍କୁ ବିବାହ କରିପାରିବେ ନାହିଁ ବୋଲି ମନା କରିବା ସହ ମା’ ଯୋଗୀତା ତାଙ୍କୁ ଦୂରେଇ ରହିବାକୁ ଧମକଚମକ ଦେଇଥିଲେ ବୋଲି ମହିଳା ଜଣକ ପିଟିସନରେ ଉଲ୍ଲେଖ କରିଛନ୍ତି । ସୂଚନାଯୋଗ୍ୟ ମହିଳା ଜଣକ ୨୦୧୮ ଜୁନ୍‌ରେ ଦିଲ୍ଲୀ ବେଗମପୁର ଥାନାରେ ମହାକ୍ଷୟ ଏବଂ ଯୋଗୀତାଙ୍କ ବିରୋଧରେ ଏଫ୍‌ଆଇଆର୍ ଦେଇଥିଲେ । ଏହି ମାମଲାର ତଦନ୍ତ ଦାୟିତ୍ୱ କ୍ରାଇମ୍‌ବ୍ରାଞ୍ଚକୁ ଦିଆଯାଇଥିଲା । ପରେ ଦିଲ୍ଲୀର ଏକ କୋର୍ଟ ଏହି ମାମଲାରେ ଉଭୟ ମା-ପୁଅଙ୍କୁ ଅଗ୍ରୀମ ଜାମିନ୍ ପ୍ରଦାନ କରିଥିଲେ ।